ନୂଆଦିଲ୍ଲୀ,୬।୭: ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ ଅର୍ଥାତ୍ ପର୍ସନାଲ ଡାଟା ପ୍ରେଟେକ୍ସନ ବିଲ ୨୦୨୩ର ଡ୍ରାଫ୍ଟକୁ ବୁଧବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ସଂସଦର ମୌସୁମୀ ଅଧିବେଶନରେ ଏହି ବିଲ ଆଗତ ହେବ। ସଂସଦର ମୌସୁମୀ ଅଧିବେଶନ ୨୦ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି। ଏହି ବିଲ ଦେଶରେ ଦୀର୍ଘ ଦିନ ଧରି ଆଲୋଚନା ହେଉଥିଲା। ଆସନ୍ତୁ ଜାଣିବା ଏହି ବିଲରେ କ’ଣ ବ୍ୟବସ୍ଥା ରହିଛି ଏବଂ ଏହାକୁ ତିଆରି କରିବା ପଛରେ ଉଦ୍ଦେଶ୍ୟ କ’ଣ?
ଭାରତରେ ମୋବାଇଲ ଏବଂ ଇଣ୍ଟରନେଟକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟବହାରକାରୀଙ୍କ ଗୋପନୀୟତା ସୁରକ୍ଷା ସମ୍ବନ୍ଧରେ କୌଣସି ନିୟମ ନଥିଲା। ଦୀର୍ଘ ଦିନରୁ ଏହାର ଆବଶ୍ୟକ ଥିଲା। ଅନେକ ଦେଶରେ ଲୋକଙ୍କ ତଥ୍ୟ ସୁରକ୍ଷାକୁ ନେଇ କଡ଼ା ନିୟମ ପ୍ରସ୍ତୁତ କରାଯାଇଛି। ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଗୋପନୀୟତାକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକାଶ କରିଥିଲେ। ଅଦାଲତ କହିଥିଲେ ଯେ ‘ଗୋପନୀୟତା ଅଧିକାର’ ଏକ ମୌଳିକ ଅଧିକାର।
ଏହା ପରେ କେନ୍ଦ୍ର ସରକାର ଏହା ଉପରେ କାମ ଆରମ୍ଭ କରିଥିଲେ। ଗତ ବର୍ଷ ଡିସେମ୍ବରରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ, ସଂସଦର ମୌସୁମୀ ଅଧିବେଶନରେ ସରକାର ଡାଟା ପ୍ରୋଟେକ୍ସନ ବିଲ ଏବଂ ଟେଲିକମ ବିଲ ପାରିତ କରିପାରନ୍ତି। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ଏକ ନୂତନ ଡାଟା ସୁରକ୍ଷା ବିଲ ପ୍ରସ୍ତୁତ ଏବଂ ଜୁଲାଇରେ ସଂସଦର ମୌସୁମୀ ଅଧିବେଶନରେ ଏହା ଉପସ୍ଥାପିତ ହେବ। ବର୍ତ୍ତମାନ, କଡ଼ା ନିୟମର ଅନୁପସ୍ଥିତି ହେତୁ ତଥ୍ୟ ସଂଗ୍ରହ କରୁଥିବା କମ୍ପାନୀଗୁଡିକ ଏହାର ଅନେକ ଥର ଲାଭ ଉଠାଉଛନ୍ତି। ବ୍ୟାଙ୍କ, କ୍ରେଡିଟ କାର୍ଡ ଏବଂ ବୀମା ସମ୍ବନ୍ଧୀୟ ସୂଚନା ପ୍ରତିଦିନ ଲିକ୍ ହେଉଛି। ଏଭଳି ପରିସ୍ଥିତିରେ ଲୋକମାନେ ସେମାନଙ୍କର ତଥ୍ୟର ଗୋପନୀୟତାକୁ ନେଇ ଚିନ୍ତିତ ରହୁଛନ୍ତି।
ବ୍ୟବହାରକାରୀଙ୍କ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ସରକାର ଏକ ବିଲ ପ୍ରସ୍ତୁତ କରିଛନ୍ତି। ଏହାକୁ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ ୨୦୨୩ ନାମରେ ନାମିତ କରାଯାଇଛି । ବିଲରେ ଏକ ବ୍ୟବସ୍ଥା ଅଛି ଯେ ଯଦି କୌଣସି କମ୍ପାନୀ ଦ୍ୱାରା ବ୍ୟବହାରକାରୀଙ୍କ ତଥ୍ୟ ଲିକ୍ ହୁଏ ଏବଂ କମ୍ପାନୀ ଦ୍ୱାରା ଏହି ନିୟମ ଯଦି ଭାଙ୍ଗିଯାଏ, ତେବେ ଏହା ଉପରେ ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ମଧ୍ୟ ଲଗାଯାଇପାରେ। ଏହି ନିୟମ ଲାଗୁ ହେବା ପରେ ଲୋକମାନେ ସେମାନଙ୍କର ତଥ୍ୟ ସଂଗ୍ରହ, ସଂରକ୍ଷଣ ଏବଂ ଏହାର ପ୍ରକ୍ରିୟାକରଣ ବିଷୟରେ ସବିଶେଷ ତଥ୍ୟ ମାଗିବାର ଅଧିକାର ପାଇବେ।