ବିସ୍ଫୋରଣ ପରେ ପେଶାୱରରେ ମେଡିକାଲ ଏମରଜେନ୍ସି, ଆହତଙ୍କୁ ମିଳୁନି ରକ୍ତ, ସମ୍ପୂର୍ଣ୍ଣ ପାକିସ୍ତାନରେ ହାଇ ଆଲର୍ଟ

ଇସଲାମାବାଦ,୩୧ ।୧: ପାକିସ୍ତାନର ପେଶାୱରରେ ସୋମବାର ଅର୍ଥାତ୍ ୩୦ ଜାନୁୟାରୀରେ ଏକ ବଡ ବିସ୍ଫୋରଣ ହୋଇଛି । ପେଶାୱରର ଏକ ମସଜିଦରେ ଆତଙ୍କବାଦୀ ଆତ୍ମଘାତି ବିସ୍ଫୋରଣ କରିଛନ୍ତି । ଏହି ବିସ୍ଫୋରଣରେ ୬୧ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଗୁରୁତର ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ପୋଲିସ କର୍ମୀ ରହିଛନ୍ତି । ଏହି ଘଟଣା ପରେ ପେଶାୱରରେ ମେଡିକାଲ ଏମରଜେନ୍ସି ଲାଗୁ କରାଯାଇଛି । ରାଜଧାନୀ ଇସଲାମାବାଦରେ ବି ହାଇ ଆଲର୍ଟ ଘୋଷଣା କରାଯାଇଛି । ତହରିକ-ଏ-ତାଲିବାନ ପାକିସ୍ତାନ(ଟିଟିପି) ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି ।
ପେଶାୱରରେ ମେଡିକାଲ ଏମରଜେନ୍ସି ଘୋଷଣା ହେବା ସହ ଏଠାକାର ଗଭର୍ନର ପେଶାୱର ଯୁବକଙ୍କୁ ବ୍ଲଡ ଡୋନେଟ କରିବାକୁ ଅପିଲ କରିଛନ୍ତି । କାରଣ ଆହତଙ୍କ ସଂଖ୍ୟା ବହୁ ଅଧିକ ଥିବା ବେଳେ ଏବେ ସେଠାରେ ‘ଓ ନେଗେଟିଭ’ ବ୍ଲଡର ଅଭାବ ଦେଖାଦେଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ଆହତଙ୍କୁ ବହୁ ସଂଖ୍ୟାରେ ଲେଡି ରିଡିଂଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ଚିକିତ୍ସା ପାଇଁ ରକ୍ତ ଦାନ ଖୁବ୍ ଆବଶ୍ୟକ ହୋଇପଡିଛି ।

Share