ପେଶାଓ୍ବର ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୯୦କୁ ବୃଦ୍ଧି

ଇସ୍‌ଲାମାବାଦ୍‌,୩୧।୧: ପାକିସ୍ତାନର ପେଶାୱାରରେ ଥିବା ପୋଲିସ ଲାଇନ୍‌ ମସ୍‌ଜିଦରେ ସୋମବାର ଘଟିଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୯୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ସେଥିମଧ୍ୟରୁ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ପେଶାଓ୍ବରର ରିଡିଂ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଅନ୍ୟପଟେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଛି। କାରଣ ଏବେ ବି ମସ୍‌ଜିଦର ଭଗ୍ନାବଶେଷ ତଳେ ଅନେକ ଚାପି ହୋଇରହିଛନ୍ତି। ମଙ୍ଗଳବାର ମଧ୍ୟ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ମୃତକ ଓ ଆହତଙ୍କ ମଧ୍ୟରେ ବହୁ ସଂଖ୍ୟାରେ ପୋଲିସ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପାକିସ୍ତାନର ଉତ୍ତର-ପଶ୍ଚିମ ସହର ପେଶାୱାରର ଏକ ମସ୍‌ଜିଦ ଭିତରେ ସୋମବାର ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ମସ୍‌ଜିଦର ଏକ ଅଂଶ ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଥିଲା।

 

Share