Advertisement

ଅନାସ୍ଥା ଭୋଟ୍‌ ପୂର୍ବରୁ କୀଟନାଶକ ପିଇଲେ ସରପଞ୍ଚ

ବରଗଡ଼/ଗାଇସିଲେଟ୍‌,୧୦।୧୧(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍‌ ବ୍ଲକ ଅନ୍ତର୍ଗତ ତାଲପାଲି ପଞ୍ଚାୟତର ସରପଞ୍ଚ ଉର୍ମିଳା ସେଠ ରବିବାର କୀଟନାଶକ ପିଇ ଦେଇଛନ୍ତି। ବିଷକ୍ରିୟାରୁ ସେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। ତେବେ ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ବୈଠକର ଦିନକ ପୂର୍ବରୁ ସରପଞ୍ଚ ସେଠଙ୍କ ଏଭଳି ଆତ୍ମହତ୍ୟା ଉଦ୍ୟମକୁ ନେଇ ସବୁଆଡ଼େ ଚର୍ଚ୍ଚା ହେଉଛି। ଗାଇସିଲେଟ୍‌ ପୋଲିସ କୀଟନାଶକ ବୋତଲକୁ ଜବତ କରିଛି। ତେବେ ସେ କୀଟନାଶକ ପିଇଛନ୍ତି କି ନାହିଁ ଡାକ୍ତରୀ ରିପୋର୍ଟ ଆସିବା ପରେ ତାହା ଜଣାପଡ଼ିବ ବୋଲି ଗାଇସିଲେଟ୍‌ ଥାନା ଏସ୍‌ଆଇ ପ୍ରଦୀପ କୁମାର ତ୍ରିପାଠୀ କହିଛନ୍ତି। ସେହିପରି ଆସନ୍ତା ୧୨ତାରିଖରେ ଅନାସ୍ଥା ଭୋଟ୍‌ କାର୍ଯ୍ୟକ୍ରମ ରହିଛି ବୋଲି ଗାଇସିଲେଟ୍‌ ବିଡ଼ିଓ ଲକ୍ଷ୍ମଣ ମାଝୀ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share