ଧାନ ଫସଲରେ ପୋକ ଉପଦ୍ରବ

କେନ୍ଦୁଝର,୩୦ା୯ (ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତ ଅଞ୍ଚଳରେ ଧାନ ଫସଲରେ ପୋକ ଉପଦ୍ରବ ଦେଖିବାକୁ ମିଳିଛି। ବିଶେଷ କରି ହାଇବ୍ରିଡ୍‌ ଧାନରେ ପୋକଙ୍କ ପ୍ରାଦୁର୍ଭାବ ବଢୁଥିବା ବେଳେ କୀଟନାଶକ ପ୍ରୟୋଗ କଲେ ମଧ୍ୟ ପୋକ ଧାନ କ୍ଷେତ ଛାଡ଼ି ଯାଉନାହାନ୍ତି। ଫଳରେ ଚାଷୀକୁଳ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି। ବର୍ତ୍ତମାନ ଏକର ଏକର ଧାନ ଫସଲ ପୋକ ଖାଇ ନଷ୍ଟ କରି ସାରିଲେଣି। କୃଷି ବିଭାଗ ପକ୍ଷରୁ କୀଟନାଶକ ସିଞ୍ଚନ ପାଇଁ ପ୍ରଦାନ କରାଯାଉଛି। ମାତ୍ର ଏହା କିଛି କାମ କରୁ ନାହିଁ। ଧୀରେ ପୋକ ସଂଖ୍ୟା ବଢ଼ିବାରେ ଲାଗିଛନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି। ସିଲିଦା, କେନ୍ଦେଇପଶି, ମହିସାମୁଣ୍ଡି, କାଶୀପୁର, କେନ୍ଦୁଆପଡ଼ା, ଖଜିରାପଶି, ଖୁଣ୍ଟାପଡ଼ା ଗ୍ରାମରେ ଏହି ପୋକ ଲାଗି ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଜିଲା ପ୍ରଶାସନ କୃଷି ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବାକୁ ଚାଷୀମାନେ ଦାବି କରିଛନ୍ତି।

Share