ପୁଅ ନୁହେଁ ପୋଷା କୁକୁର ହେଲା ଉତ୍ତରାଧିକାରୀ

ଭୋପାଳ,୩୧।୧୨: ପିତାଙ୍କ ଅନ୍ତେ ତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ଭାବେ ଝିଅ-ପୁଅଙ୍କୁ ବିବେଚିତ କରାଯାଇଥାଏ। ତେବେ ମଧ୍ୟପ୍ରଦେଶରେ ଜଣେ ଚାଷୀ ମୃତ୍ୟୁ ପରେ ତାଙ୍କର ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ଭାବେ ପୋଷା କୁକୁର ଜ୍ୟାକି ଏବଂ ସ୍ତ୍ରୀ ଚମ୍ବାବାଈଙ୍କୁ ଘୋଷଣା କରିଛନ୍ତି। ଏସମ୍ପର୍କରେ ଚାଷୀ ଓମ୍‌ନାରାୟଣ ବର୍ମା ନିଜର ଇଛାପତ୍ରରେ ସୂଚିତ କରିଛନ୍ତି। ସେ ଛିନ୍ଦଓ୍ବାରା ଜିଲାର ଚୌରାଇ ତହସିଲ୍‌ର ବାଡ଼ିଓ୍ବାରା ଗାଁର ବାସିନ୍ଦା। ଏମ୍‌ ନାରାୟଣଙ୍କ ଝିଅ ପୁଅ ମିଶାଇ ୫ ସନ୍ତାନ। ଝିଅଙ୍କ ବିବାହ ହୋଇ ଯାଇଛି। ବୋହୂ-ପୁଅଙ୍କ ସହିତ ଓମ୍‌ନାରାୟଣଙ୍କର ଭଲ ସମ୍ପର୍କ ନାହିଁ। ତାଙ୍କ ମୃତ୍ୟୁ ପରେ ସ୍ତ୍ରୀ ଏବଂ କୁକୁର ବେସାହାରା ହୋଇପଡ଼ିବେ ବୋଲି ସେ କହିଛନ୍ତି। ସେଥିପାଇଁ ସେ ଏଭଳି କରିଥିବା ପ୍ରକାଶ କରିଛନ୍ତି। ଏବେ ସ୍ତ୍ରୀଙ୍କ ବୟସ ୪୭ ବର୍ଷ ଥିବାବେଳେ କୁକୁରକୁ ୧୧ ମାସ ହୋଇଥିବା ଇଛାପତ୍ରରେ ଦର୍ଶାଯାଇଛି। ସମ୍ପତ୍ତି ମଧ୍ୟରେ ୨୧ ଏକର ଚାଷ ଜମି, ଘରବାଡ଼ି ଆଦି ରହିଛି। ଓମ୍‌ନାରାୟଣଙ୍କ ଏଭଳି ନିଷ୍ପତ୍ତି ନେଇ ଗାଁ ସରପଞ୍ଚ ଯମୁନା ପ୍ରସାଦ ବର୍ମା ବହୁ ବୁଝାସୁଝା କରିବା ପରେ ମଧ୍ୟ କୌଣସି ଫଳ ମିଳି ନ ଥିଲା। ଏବେ ଏହି ଘଟଣା ସୋସିଆଲ୍‌ ମିିିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share