ନୂଆଦିଲ୍ଲୀ,୨୨ା୧୦: ଭାରତର ରାଷ୍ଟ୍ରପତି ନିଯୁକ୍ତ ହେବା ଲାଗି କିଶୋର ଜଗନ୍ନାଥ ସାଓ୍ବନ୍ତ ନାମକ ବ୍ୟକ୍ତିଙ୍କ ପିଟିଶନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଭବିଷ୍ୟତରେ ତାଙ୍କର ଏଭଳି ପିଟିଶନକୁ ଶୁଣାଣି ପାଇଁ ଗ୍ରହଣ ନ କରିବାକୁ ଅଦାଲତ ରେଜିଷ୍ଟ୍ରିକୁ ନିର୍ଦ୍ଦେଶ ଦେଇଛନ୍ତି। ସାଓ୍ବନ୍ତଙ୍କ ଆବେଦନ ମୂଲ୍ୟହୀନ ଓ ଏହା ଅଦାଲତଙ୍କ ସମୟ ବରବାଦ କରୁଥିବା ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ହିମା କୋହଲିଙ୍କ ଖଣ୍ଡପୀଠ କହିଛନ୍ତି। ଏଭଳି ପିଟିଶନ ଅପମାନଜନକ ବୋଲି ଅଦାଲତ ମତ ଦେଇଛନ୍ତି। ସାଓ୍ବନ୍ତ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହୋଇ ତାଙ୍କୁ ନିକଟରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ଲାଗି ଅନୁମତି ଦିଆଯାଇ ନ ଥିବା ଅଭିଯୋଗ କରିଥିଲେ। ସେ ଜଣେ ପରିବେଶବିତ୍ ବୋଲି ଦାବି କରିବା ସହ ସବୁ ଖରାପ ସ୍ଥିତିରେ କାର୍ଯ୍ୟ କରିପାରିବେ ବୋଲି କହିଥିଲେ।