Advertisement

ମଣିପୁର ଓ ଭାରତୀୟ ଖ୍ରୀଷ୍ଟିଆନଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର

କୋରାପୁଟ,୨୭ା୯(ଅମିତାଭ ବେହେରା): କୋରାପୁଟିଆ ପାଳକ ସମ୍ମିଳନୀ ପକ୍ଷରୁ ମଣିପୁର ଓ ଭାରତୀୟ ଖ୍ରୀଷ୍ଟିଆନମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ଓ ଅବହେଳା ପ୍ରତିବାଦରେ ଏକ ବିଶାଳ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ରେଭିନ୍ୟୁ ପଡ଼ିଆଠାରୁ କଳାନିକେତନ ଛକ ଦେଇ ଜଗନ୍ନାଥ ମନ୍ଦିର ଓ ସହର ମଧ୍ୟ ଦେଇ ଜାତୀୟ ରାଜପଥ ପରିକ୍ରମା କରି କୋରାପୁଟ ଜିଲା କାର୍ଯ୍ୟାଳୟଠାରେ ପହଞ୍ଚି ଏକ ସ୍ମାରକପତ୍ର ରାଷ୍ଟ୍ରପତି ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ଏହି ସ୍ମାରକପତ୍ରରେ ମଣିପୁରରେ ତାଡିତ ଓ ଦୁଃଖିତ ପରିବାର ସହିତ ସଦ୍‌ଭାବନା ଓ ସଂହତି ପ୍ରଦର୍ଶନ ପୂର୍ବକ ଠିଆ ହୋଇ ସେମାନଙ୍କର ସୁରକ୍ଷା ଓ ପୁନଃ ବସତି ଓ ପୁନଃ ମିଳନ ନିମନ୍ତେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି। ପୁଣି ଭାରତର ବିଭିନ୍ନ ସ୍ଥାନରେ ଖ୍ରୀଷ୍ଟିଆନମାନଙ୍କ ପ୍ରତି ଘଟୁଥିବା ଅନ୍ୟାନ୍ୟ ତଥା ଉପାସନା ଗୃହର ଭଙ୍ଗାରୁଜା ଧର୍ମାନ୍ତରୀକରଣ ଆଇନ ଅପବ୍ୟବହାର ବିରୋଧରେ ଓ ସଂଖ୍ୟା ଲଘୁ କମିଶନ ଗଠନ ଲାଗି ଦାବି ଉପସ୍ଥାପନ କରିଥିଲେ। ଏହି ଶୋଭାଯାତ୍ରାକୁ କୋରାପୁଟିଆ ପାଳକ ସମ୍ମିଳନୀର ଚେୟାରମ୍ୟାନ୍‌ ଖ୍ରୀଷ୍ଟଦାନ ଟାକ୍ରି, ଉପସଭାପତି ଦାନିୟେଲ ଖରା, ସାଧାରଣ ସମ୍ପାଦକ ହେମ ପ୍ରସାଦ ଦାସ ଏବଂ ଜଇଲୁମ ବିଷୋପ, ବିଧାନ ନାୟକ ଏବଂ ବିଭିନ୍ନ ମଣ୍ଡଳୀ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଏହି ସମ୍ମିଳନୀ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି ଯେ, ଖ୍ରୀଷ୍ଟିଆନମାନଙ୍କ ପ୍ରତି ଦୃଷ୍ଟି ରଖି ସେମାନଙ୍କ ବିକାଶ ଓ ମଙ୍ଗଳ ନିମନ୍ତେ ଯୋଜନା ପ୍ରସ୍ତୁତ କରିବେ ଓ ସଂଖ୍ୟାଲଘୁ କମିଶନ ବା ସ୍ଥାୟୀ ସଂଖ୍ୟାଲଘୁ କମିଶନ ଶୀଘ୍ର ଗଠନ କରି ଏହି ସମାଜର ତଥା ଅନ୍ୟାନ୍ୟ ସଂଖ୍ୟାଲଘୁ ସଂପ୍ରଦାୟ ମୁସଲମାନ,ବୌଦ୍ଧ, ଶିଖ୍‌, ଜୈନମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ। ଦଳିତ ଖ୍ରୀଷ୍ଟିଆନମାନଙ୍କର ପୁନରୁଦ୍ଧାର ଏବଂ ନୂତନ ବିକାଶ ଯୋଜନା ଓ ବ୍ୟବସ୍ଥା ଲାଗୁ କରିବେ। ଏହି କାର୍ଯ୍ୟକ୍ରମରେ ଏମ୍‌ପି ସପ୍ତଗିରି ଉଲାକା, କୋରାପୁଟ କଂଗ୍ରେସ ବିଧାୟକ ପ୍ରାର୍ଥି କୃଷ୍ଣ କୁଲଦୀପ,ବରିଷ୍ଠ କଂଗ୍ରେସ ନେତା ବାବୁଲା, ନମିତା ମାଝିଙ୍କ ସମେତ ଅବିଭକ୍ତ କୋରାପୁଟ ଜିଲାରୁ ହଜାରରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share