ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ

ଯାଜପୁର ଟାଉନ,୨ା୬(ଡି.ଏନ.ଏ.): ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି ଉତ୍କଳ ଗୃହରକ୍ଷୀ ମହାସଂଘର ରାଜ୍ୟ ସଭାପତି ରଞ୍ଜନ କୁମାର ମଲ୍ଲିକ। ମାର୍ଚ୍ଚରେ ୯୦ ଦିନ ମଧ୍ୟରେ ବର୍ଦ୍ଧିତ ଦରମା ଦେବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟସୀମା ସରିବାକୁ ଥିବାବେଳେ ରାଜ୍ୟ ସରକାର ପୁଣି ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିଶନ୍‌ ଦାଖଲ କରିଛନ୍ତି। ଫଳରେ ରାଜ୍ୟର ୧୭ ହଜାର ଗୃହରକ୍ଷୀ ବର୍ଦ୍ଧିତ ଦରମା ସହ ବକେୟା ରାଶି ପାଇବାକୁ ନେଇ ସନ୍ଦେହ ଉପୁଜିଛି। ରାଜ୍ୟ ସରକାର ଗୃହରକ୍ଷୀଙ୍କ ପ୍ରତି ବୈମାତୃକ ମନୋଭାବ ରଖିଥିବାରୁ ଦରମା ବଢ଼ାଇବାକୁ ଚାହୁଁନାହାନ୍ତି। ତେଣୁ ସମୂହ ଗୃହରକ୍ଷୀଙ୍କ ସ୍ବାର୍ଥ ଲାଗି ସର୍ବସାଧାରଣ ସ୍ଥାନରେ ରାଜ୍ୟ ସଭାପତି ହିସାବରେ ମତେ ଇଚ୍ଛା ମୃତ୍ୟୁ ଲାଗି ଅନୁମତି ଦିଆଯାଉ ବୋଲି ମଲ୍ଲିକ ରାଷ୍ଟ୍ରପତିଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି। ଏହାର ଏକକିତା ନକଲ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ଆଇନମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି।

Share