ବଢ଼ିପାରେ ପେଟ୍ରୋଲ ଡିଜେଲ ଦର

ଭୁବନେଶ୍ୱର,୮।୩(ବ୍ୟୁରୋ): ଆଜିଠୁ ପେଟ୍ରୋଲ ଓ ଡିଜେଲ ଦର ବଢିପାରେ । ୫ ରାଜ୍ୟର ନିର୍ବାଚନ ପରେ ପୁଣି ପେଟ୍ରୋଲ ଡିଜେଲ ଦର ଏକାଥରକେ ୧୫ ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଚର୍ଚ୍ଚା ହେଉଛି । ସୋମବାର ଉତ୍ତରପ୍ରଦେଶ ନିର୍ବାଚନ ଶେଷ ହୋଇଛି । ତେଣୁ ନିର୍ବାଚନ ସରିବା ପରେ ତେଲ ଦର ବଢିବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି । ପ୍ରତି ବ୍ୟାରେଲ ପିଛା ତେଲ ଦର ୧୩୦ ଡଲାର ଟପିଲାଣି । ୨୦୦୮ ପରଠାରୁ ଅଶୋଧିତ ତେଲ ଦର ସର୍ବାଧିକ ସ୍ତରରେ ପହଞ୍ଚିଲାଣି । ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବା ପରଠାରୁ ଲଗାତର ଭାବରେ ବୃଦ୍ଧି ପାଇବାରେ ଲାଗିଛି ଅଶୋଧିତ ତୈଳ ଦର । ଯୁଦ୍ଧ ପୂର୍ବରୁ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାରରୁ କମ ରହିଥିବାବେଳେ ଏବେ ଅଶୋଧିତ ତୈଳ ଦର ପ୍ରତି ବ୍ୟାରେଲ ପିଛା ୧୩୦ ଡଲାରରେ ପହଞ୍ଚିଛି । ତେବେ ଅଶୋଧିତ ତୈଳ ଦର ବୃଦ୍ଧି ହେବା ପରେ ମଧ୍ୟ ଭାରତରେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଉ ନ ଥିବାରୁ କ୍ଷତି ସହୁଛନ୍ତି କମ୍ପାନୀ । ତେଣୁ ଦେଶରେ ଖୁବ ଶୀଘ୍ର ପେଟ୍ରୋଲ-ଡିଜେଲ ଦର ୧୫ ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।

Share