ନୂଆଦିଲ୍ଲୀ,୧୮।୧୧: ଲୋକଙ୍କ ସମସ୍ୟାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ ଉପରେ ୧୦ ଟଙ୍କାର ଉତ୍ପାଦ ଟିକସ କମ୍ କରିଛନ୍ତି। ଏହା ପରେ ରାଜ୍ୟଗୁଡ଼ିକ ମଧ୍ୟ କିଛି କିଛି ପରିମାଣରେ ଭାଟ୍ କମାଇଛନ୍ତି। ଫଳରେ ତେଲ ଦର କିଛି ପରିମାଣରେ କମିଛି। ତେବେ ଆଗାମୀ କିଛି ଦିନରେ ତେଲ ଦର ପୁଣି କମିବା ନେଇ ଆକଳନ କରାଯାଇଛି।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ବ୍ରେଣ୍ଟ ଅଶୋଧିତ ତେଲ ବର୍ତ୍ତମାନ ୮୦ ଡଲାରରୁ ନିମ୍ନକୁ ଖସିଛି। ଅକ୍ଟୋବର ଆରମ୍ଭରେ ଏହା ୮୦ ଡଲାରରୁ ନିମ୍ନରେ ରହିଥିବା ବେଳେ ଏହି ମାସ ଶେଷ ବେଳେ ପ୍ରାୟ ୮୬ ଡଲାର ଛୁଇଁଥିଲା। ବର୍ତ୍ତମାନ ଅଶୋଧିତ ତେଲ ଦର କମୁଥିବାରୁ ଆଗାମୀ ଦିନରେ ତେଲ ଦର ହ୍ରାସ ହୋଇପାରେ ବୋଲି ବଜାର ବିଶେଷଜ୍ଞ ଆଶାବାଦୀ ରହିଛନ୍ତି। କେଡିଆ କମୋଡିଟିର ନିର୍ଦ୍ଦେଶକ ଅଜୟ କେଡିଆ କହିଛନ୍ତି, ଡିସେମ୍ବର ବେଳକୁ ଅଶୋଧିତ ତେଲ ଉତ୍ପାଦନ ବୃଦ୍ଧି କରିବା ଲାଗି ଓପେକ୍ ପ୍ଲସ୍ ଦେଶଗୁଡ଼ିକ କହିଛନ୍ତି। ଅଗଷ୍ଟ ପରଠାରୁ ପ୍ରତିଦିନ ୪ ଲକ୍ଷ ବ୍ୟାରେଲ ଅତିରିକ୍ତ ତେଲ ଉତ୍ପାଦନ କରିବା ଲାଗି ଦେଶଗୁଡ଼ିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଗାମୀ ଦିନରେ ତେଲ ଉତ୍ପାଦନ ବୃଦ୍ଧି ଧାରା ଜାରି ରଖିବା ଲାଗି ଦେଶ ସମୂହ ନିଷ୍ପତ୍ତି ନେଇଛନ୍ତି। ତେବେ ଅଶୋଧିତ ତେଲ ୭୫ ଡଲାର ପର୍ଯ୍ୟନ୍ତ ଖସିବା ନେଇ ମଧ୍ୟ କିଛି ବିଶେଷଜ୍ଞ ଆକଳନ କରିଛନ୍ତି।
ଅଶୋଧିତ ତେଲ ଦର କମିଲେ ଏହାର ଲାଭ ତେଲ କମ୍ପାନୀଗୁଡ଼ିକ ସାଧାରଣ ଲୋକଙ୍କୁ ପ୍ରଦାନ କରିବେ। ତେବେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ପ୍ରାୟ ୨ରୁ ୩ ଟଙ୍କା ହ୍ରାସ ହୋଇପାରେ।