ନୂଆଦିଲ୍ଲୀ,୨।୬ : ଭାରତ ବଜାରରେ ପେଟ୍ରୋଲ ଓ ଡିଜେଲର ବିକ୍ରି ଚଳିତ ବର୍ଷ ମେ ମାସରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ବିଶେଷକରି ଗ୍ରୀଷ୍ମର ପ୍ରକୋପ ସାଙ୍ଗକୁ ସ୍କୁଲ, କଲେଜ ଛୁଟି ଯୋଗୁ ଲୋକେ ଅନ୍ୟ ସହର ବୁଲିଯିବା ଯୋଗୁ ଏଭଳି ହୋଇଥିବା ତୈଳ କମ୍ପାନୀଗୁଡିକ ଆକଳନ କରୁଛନ୍ତି। ସାର୍ବଜନିକ କ୍ଷେତ୍ରରେ ପେଟ୍ରୋଲିୟମ କମ୍ପାନୀଙ୍କ ଖୁଚୁରା ଇନ୍ଧନ ବିକ୍ରିର ପ୍ରାରମ୍ଭିକ ତଥ୍ୟ ଅନୁସାରେ ମେ’ରେ ୨୮ଲକ୍ଷ ଟନ ପେଟ୍ରୋଲ ବିକ୍ରି ହୋଇଛି। ଗତବର୍ଷର ଏହି ମାସ ତୁଳନାରେ ୫୫.୭% ରୁ ଅଧିକ ବୋଲି ଜଣାପଡିଛି। ଗତବର୍ଷ କୋଭିଡ୍-୧୯ର ବିଭିନ୍ନ ଲହର ଯୋଗୁ ଅର୍ଥ ବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପଡିଥିଲା। ଫଳରେ ଖୁଚୁରା ଇନ୍ଧନ କାରବାରରେ ମଧ୍ୟ ସାର୍ବଜନିକ କ୍ଷେତ୍ରର ବଜାର ଭାଗୀଦାରି ପ୍ରାୟ ୯୦% ରହିଥିଲା। ଦେଶରେ ସର୍ବାଧିକ ଖର୍ଚ୍ଚ ହେଉଥିବା ଇନ୍ଧନ ଡିଜେଲ ବିକ୍ରି ମେ ମାସରେ ବାର୍ଷିକ ଆଧାରରେ ୩୯.୪% ବଢି ୬୮.୨ ଲକ୍ଷ ଟନ ବିକ୍ରି ହୋଇଛି। ଗତ ଏପ୍ରିଲ ମାସର ୬୭ ଟନ ତୁଳନାରେ ୧.୮%ରୁ ଅଧିକ ବୋଲି କୁହାଯାଇଛି। ତେବେ ଏହି ବିକ୍ରି ମେ ୨୦୧୯ ତୁଳନାରେ ୨.୩% କମ୍ ବୋଲି ଜଣାପଡିଛି।