Categories: ଜାତୀୟ

ଦେଶୀ ଘିଅକୁ ପଛରେ ପକାଇଲାଣି ପେଟ୍ରୋଲ

ନୂଆଦିଲ୍ଲୀ,୧୬।୭: ଦେଶୀ ଘିଅଠାରୁ ପେଟ୍ରୋଲ ଦର ଅଧିକ ହେଲାଣି। ଡେରାଡୁନ ସ୍ଥିତ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ ଏଭଳି କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ। ତାଙ୍କ ସହ ଉତ୍ତରାଖଣ୍ଡ ରାଜ୍ୟ ଶାଖା ସଭାପତି ପ୍ରିତମ ସିଂ ଓ ଅନ୍ୟ ନେତା ଉପସ୍ଥିତ ଥିଲେ।

୨୦୧୪ରେ ଭାଜପା ଆସିବା ପରେ ଦେଶବାସୀ ବିଭିନ୍ନ ସମସ୍ୟାରେ ସଂଘର୍ଷ କରୁଛନ୍ତି। ସେଥି ମଧ୍ୟରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଦ୍ରୁତଗତିରେ ବୃଦ୍ଧି ପାଉଥିବା ପେଟ୍ରୋଲ ଓ ଡିଜେଲ ଦର। ଏବେ ତୈଳ ଦର ଦେଶୀ ଘିଅକୁ ପଛରେ ପକାଇ ଦେଲାଣି। ଦେଶର ୨୫୦ ସହରରେ ୧୦୦ ଟଙ୍କା ଅତିକ୍ରମ କଲାଣି ପେଟ୍ରୋଲ। ଏହାର କଳ୍ପନା କେହି କେବେ କରି ନ ଥିଲେ। ଚଳିତ ବର୍ଷ ଏପର୍ଯ୍ୟନ୍ତ ୬୬ ଥର ତୈଳ ଦର ବୃଦ୍ଧି ହେଲାଣି। ସରକାରଙ୍କ ରିପୋର୍ଟ ଅନୁଯାୟୀ, ପେଟ୍ରୋଲ ଉପରେ ୨୫୦ ପ୍ରତିଶତ ଓ ଡିଜେଲ୍‌ କ୍ଷେତ୍ରରେ ୮୦୦ ପ୍ରତିଶତ ଟ୍ୟାକ୍ସ ଲଗାଯାଇଛି। ଫଳରେ ଗତ ୭ ବର୍ଷ ମଧ୍ୟରେ କେନ୍ଦ୍ରକୁ ୨୫ ଲକ୍ଷ କୋଟି ଟଙ୍କା ରାଜସ୍ବ ମିଳିଛି। ଏହା ଆଉ କିଛି ନୁହେଁ, ଜନସାଧାରଣଙ୍କୁ ସିଧାସଳଖ ଲୁଟାଯାଉଛି ବୋଲି ସଚିନ କହିଛନ୍ତି।

Share