ନୂଆଦିଲ୍ଲୀ,୨ା୯: ଅଗଷ୍ଟରେ ପେଟ୍ରୋଲ ଚାହିଦା ବୃଦ୍ଧି ଘଟିଛି। ଏହି ସମୟରେ ଡିଜେଲ ବିକ୍ରି ନିମ୍ନରେ ରହିଛି। ବର୍ତ୍ତମାନ ପେଟ୍ରୋଲ ବିକ୍ରି କୋଭିଡ୍ ପୂର୍ବ ସ୍ଥିତିକୁ ଫେରିଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଅଗଷ୍ଟରେ ୨.୪୩ ନିୟୁତ ଟନ୍ ପେଟ୍ରୋଲ ବିକ୍ରି ହୋଇଛି। ଏହା ଗତ ବର୍ଷ ସମାନ ଅବଧି ତୁଳନାରେ ପ୍ରାୟ ୧୩.୬% ଊର୍ଦ୍ଧ୍ୱରେ ରହିଛି। ୨୦୧୯ ଅଗଷ୍ଟରେ ୨.୩୩ ନିୟୁତ ଟନ୍ ପେଟ୍ରୋଲ ବିକ୍ରି ହୋଇଥିଲା। ବର୍ତ୍ତମାନର ବିକ୍ରି ଏହା ତୁଳନାରେ ୪.୧% ଊର୍ଦ୍ଧ୍ୱରେ ରହିଛି। ଗତ ବର୍ଷ ଅଗଷ୍ଟ ତୁଳନାରେ ଡିଜେଲ ବିକ୍ରି ୧୫.୯% ଊର୍ଦ୍ଧ୍ୱରେ ରହି ୪.୯୪ ଟନ୍ ଛୁଇଁଛି। ମାତ୍ର ଏହା ୨୦୧୯ ଅଗଷ୍ଟ ତୁଳନାରେ ୯.୮% ନିମ୍ନରେ ରହିଛି। ଚଳିତ ବର୍ଷ ଜୁଲାଇ ତୁଳନାରେ ଅଗଷ୍ଟରେ ଡିଜେଲ ବିକ୍ରି ୯.୩% ନିମ୍ନରେ ରହିଛି। ବର୍ଷାଦିନ ଯୋଗୁ ଯାନବାହନ ଚଳପ୍ରଚଳ କମିବା ଯୋଗୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଅଗଷ୍ଟର ପ୍ରଥମ ଭାଗରେ ଡିଜେଲ ବିକ୍ରି କୋଭିଡ୍ ପୂର୍ବ ସ୍ଥିତି ତୁଳନାରେ ୮% ନିମ୍ନରେ ରହିଛି। କୋଭିଡ୍-୧୯ର ଦ୍ୱିତୀୟ ଲହର ଦେଶର ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରଭାବିତ କରିଛି। ଫଳରେ ଯାନବାହନ ଚଳାଚଳ ଏହାଦ୍ୱାରା ପ୍ରଭାବିତ ହୋଇଛି। ସେହିଭଳି ବିମାନ ଇନ୍ଧନ ବ୍ୟବହାର ମଧ୍ୟ ପ୍ରଭାବିତ ସ୍ଥିତିରେ ରହିଛି। ଏହା ସ୍ବାଭାବିକ ହେବାକୁ ଚଳିତ ଆର୍ଥତ୍କ ବର୍ଷ ଶେଷ ଯାଏ ସମୟ ଲାଗିପାରେ। ଏଲ୍ପିଜି ବ୍ୟବହାର ବଢି ୨.୩୨ ନିୟୁତ ଟନ୍ ଛୁଇଁଛି। ୨୦୧୯ ଅଗଷ୍ଟ ତୁଳନାରେ ଏହା ଏବେ ମଧ୍ୟ ୨.୪% ନିମ୍ନରେ ରହିଛି। ୨୦୨୦ରେ ଦେଶର ତୈଳ ଚାହିଦା ଦୈନିକ ବ୍ୟାରେଲ ପିଛା ୦.୫ ନିୟୁତ ଡଲାର ଖସିଛି। ଲକ୍ଡାଉନ ଯୋଗୁ ଯାନବାହନ ଚଳାଚଳ ଉପରେ ପ୍ରଭାବ ପଡିବାରୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି।