ଝରିଗାଁ,୩୦ା୧୦: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି ପରେ ମଙ୍ଗଳବାର ରାତି୧୨ଟାରୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ରହିଥିବା ସମସ୍ତ ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି। ତୈଳ ଡିପୋରୁ ଦୂରଦୂରାନ୍ତରେ ଥିବା ଝରିଗାଁ ବ୍ଲକର ପେଟ୍ରୋଲ ଓ ଡିଜେଲ ଉପଭୋକ୍ତାମାନେ ଲାଭବାନ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଝରିଗାଁରେ ପେଟ୍ରୋଲ ୩ ଟଙ୍କା ୨୫ ପଇସା ଓ ଡିଜେଲ ୩ ଟଙ୍କା ୦୮ ପଇସା ହ୍ରାସ ପାଇଛି। ହ୍ରାସ ପୁର୍ବରୁ ଝରିଗାଁସ୍ଥିତ ଭାରତ ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ଦର ୧ଶହ୫ଟଙ୍କା ୮୨ ପଇସା ରହିଥିବା ବେଳେ ଡିଜେଲ ଦର ୯୭ଟଙ୍କା ୨୪ ପଇସା ରହିଥିଲା। ସେହିପରି ଇଣ୍ଡିଆନ ଅଏଲ ଟାଙ୍କିରେ ପେଟ୍ରୋଲ ଲିଟର ପିଛା ୧ଶହ୫ଟଙ୍କା ୮୪ପଇସା ଏବଂ ଡିଜେଲ ଲିଟର ପିଛା ୯୭ଟଙ୍କା ୨୭ପଇସା ରହିଥିଲା। ପେଟ୍ରୋଲ ଓ ଡିଜେଲ ଦର କମିବା ଫଳରେ ଖାଉଟିମାନେ ଅତ୍ୟନ୍ତ ଖୁସି ରହିଥିବା ସହ ସମସ୍ତ ପେଟ୍ରୋଲ ଟାଙ୍କିରେ ଭିଡ଼ ଦେଖିବାକୁ ମିଳିଥିଲା। ପେଟ୍ରୋଲ ଓ ଡିଜେଲ ଦର ହ୍ରାସକୁ ନେଇ ଟାଙ୍କି ମାଲିକମାନେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଜଣାଇଛନ୍ତି।