Categories: ଜାତୀୟ

ଥମୁନି ତୈଳ ଦର ବୃଦ୍ଧି: ପେଟ୍ରୋଲ ୩୨, ଡିଜେଲ ୩୭ ପଇସା ପୁଣି ବଢ଼ିଲା

ନୂଆଦିଲ୍ଲୀ,୨୯ା୩: ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ସିଧା ଭାରତୀୟ ତୈଳ ବଜାରରେ ପଡୁଛି। ଫଳରେ କ୍ରମାଗତ ଭାବେ ୪ର୍ଥ ଦିନ ଲାଗି ଉଭୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବଢ଼ିଛି। ଏପରିକି ଗତ ୭ ଦିନ ମଧ୍ୟରେ ୬ ଥର ଦର ପରିବର୍ତ୍ତନ ହୋଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମର ସୂଚନା ଅନୁସାରେ ସୋମବାର ଭୁବନେଶ୍ୱରରେ ପଟ୍ରୋଲ ୩୨ ପଇସା ଓ ଡିଜେଲ୍‌ ୩୭ ପଇସା ବୃଦ୍ଧି ଘଟିଛି। ଏହି ଦର ବୃଦ୍ଧି ଫଳରେ ଏଠାରେ ପେଟ୍ରୋଲ ଲିଟର ପିଛା ୧୦୬.୦୮ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୯୫.୯୮ ଟଙ୍କାରେ କାରବାର ହେଉଛି। ଏହି ସମୟ ମଧ୍ୟରେ ଓଡ଼ିଶାରେ ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ପ୍ରାୟ ୫ ଟଙ୍କା ବୃଦ୍ଧି ପାଇସାରିଲାଣି। ଅପରପକ୍ଷରେ ନୂଆଦିଲ୍ଲୀରେ ମଧ୍ୟ ପଟ୍ରୋଲ୍‌ ୩୦ ପଇସା ଓ ଡିଜେଲ୍‌ ୩୫ ପଇସା ବଢ଼ିଛି। ଫଳରେ ସେଠାରେ ପେଟ୍ରୋଲ ଲିଟର ପିଛା ୯୯.୪୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୦.୭୭ ଟଙ୍କାରେ ପହଞ୍ଚତ୍ଛି। ଉପରୋକ୍ତ ସମୟ ମଧ୍ୟରେ ନୂଆଦିଲ୍ଲୀରେ ପଟ୍ରୋଲ୍‌ ଉପରେ ମୋଟ ୪ ଟଙ୍କା ଏବଂ ଡିଜେଲ୍‌ ଉପରେ ୪.୧୦ ଟଙ୍କା ମୂଲ୍ୟ ବୃଦ୍ଧି ଘଟିଛି। ସେହିଭଳି ଦେଶର ପ୍ରମୁଖ ମହାନଗର ମୁମ୍ବାଇ, କୋଲକାତା ଓ ଚେନ୍ନାଇ ଭଳି ସହରରେ ପେଟ୍ରୋଲ ଲିଟର ପିଛା ଯଥାକ୍ରମେ ୧୧୪.୧୯ ଟଙ୍କା, ୧୦୮.୮୫ ଟଙ୍କା ଏବଂ ୧୦୫.୧୮ ଟଙ୍କାରେ ବିକ୍ରି ହେଉଛି। ସେହିପରି ଉପରୋକ୍ତ ମହାନଗରଗୁଡ଼ିକରେ ଡିଜେଲ ଲିଟର ପିଛା ୯୮.୫୦ ଟଙ୍କା, ୯୩.୯୨ ଟଙ୍କା ଏବଂ ୯୫.୩୩ ଟଙ୍କାରେ ପହଞ୍ଚତ୍ଛି।
ସୂଚନାଯୋଗ୍ୟ, କୋଭିଡ ପରଠାରୁ ଉଭୟ ସରକାର ଓ ସାଧାରଣ ଲୋକ ନାନା ସମସ୍ୟାରେ ଛନ୍ଦି ହୋଇ ରହିଛନ୍ତି। ଏପରିକି ଭାରତ ବଜାରରେ ଅନେକ ପ୍ରକାରର ସମସ୍ୟା ମଧ୍ୟ ରହିଛି। ଏଭଳି ସମୟରେ ତୈଳ ଦର ବୃଦ୍ଧି ସବୁବର୍ଗର ଖାଉଟିଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ବର୍ତ୍ତମାନ ସମୟରେ ଖାଉଟିଙ୍କୁ ତୈଳ ବାବଦକୁ ଅତିରିକ୍ତ ଖର୍ଚ୍ଚ ଭାର ବହନ କରିବାକୁ ପଡୁଛି। ସେହିପରି ତୈଳ ଦର ବୃଦ୍ଧିକୁ ନେଇ ବିଭିନ୍ନ ସଂସ୍ଥା ଓ ସର୍ଭେ ଟିମ୍‌ ମଧ୍ୟ ଭିନ୍ନ ଭିନ୍ନ ଆକଳନ କରିଛନ୍ତି। ହେଲେ ଖାଉଟିଙ୍କ ସ୍ବାର୍ଥ ସମ୍ପର୍କରେ କେତେ ସର୍ଭେ କରାଯାଇଛି ବୋଲି ବଜାର ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

Share