ଡ. ଚିତ୍ତରଞ୍ଜନ ମିଶ୍ର
ନିକଟ ଅତୀତରେ ଭାରତ ସରକାର ପେଟ୍ରୋଲ ସହ ଜୈବ ଇନ୍ଧନ ଇଥାନଲର ମିଶ୍ରଣକୁ ନେଇ ଏକ ଅଭିନବ ଯୋଜନାର ଶୁଭାରମ୍ଭ କରିଛନ୍ତି ଏବଂ ଏହା ଏଭଳି ଏକ ସମୟରେ କାର୍ଯ୍ୟକାରୀ ହେଉଅଛି ଯେତେବେଳେ କି ବିଶ୍ୱରେ ତୈଳ ଦର ବୃଦ୍ଧି ହୋଇ ଚାଲିଛି। ପେଟ୍ରୋଲରେ ଇଥାନଲର ମିଶ୍ରଣ ପରିମାଣ ସାଂପ୍ରତିକ ହାରାହାରି ୮.୫ ପ୍ରତିଶତରୁ ୨୦୨୫ ସୁଦ୍ଧା ୨୦ ପ୍ରତିଶତକୁ ବୃଦ୍ଧି କରିବାର ଲକ୍ଷ୍ୟ ରହିଛି। ଦିନକୁ ଦିନ ବଢ଼ି ଚାଲିଥିବା ତୈଳ ଆମଦାନୀ ବିଲ୍ରେ ହ୍ରାସ ଘଟାଇବା ସହ ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ସୀମିତ କରିବା ଏହାର ଉଦ୍ଦେଶ୍ୟ। ତୈଳ ଦରରେ ଯଦି ଅହେତୁକ ଭାବେ ବୃଦ୍ଧି ଘଟେ ଏବଂ ଏହା ଅପ୍ରତ୍ୟାଶିତ ସ୍ତରରେ ପହଞ୍ଚତ୍ୟାଏ ତେବେ ଏହାର ମୁକାବିଲା କରିବା ପାଇଁ ଏଭଳି ଅଭିନବ ପଦକ୍ଷେପ ଲାଭଦାୟକ ହେବ। ସଂପ୍ରତି ଭାରତ ନିଜର ଆବଶ୍ୟକ ତୈଳର ବୃହତ୍ ଅଂଶ ବିଦେଶରୁ ଆମଦାନୀ କରୁଛି। ତା’ ପାଇଁ ସାଂପ୍ରତିକ ଦୃଷ୍ଟିଭଙ୍ଗୀ ଉତ୍ସାହଜନକ ନୁହେଁ। ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୧ ଡଲାରର ଏପାଖ ସେପାଖ ହେଉଅଛି। ଗତ ୫ମାସ ଭିତରେ ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି । ଏହା ସେତିକିବେଳେ ହେଉଛି, ଯେତେବେଳେ କି ମହାମାରୀ ଅର୍ଥନୈତିକ ପୁନରୁଦ୍ଧାର ପ୍ରକ୍ରିୟାକୁ ଅଟକାଇ ଦେଇଛି।
ଗତ ଦୁଇଟି ଆର୍ଥତ୍କ ବର୍ଷରେ ଭାରତ ଉଚ୍ଚ ତୈଳ ଦରରୁ ରିହାତି ଲାଭ କରିଥିଲା। ମହାମାରୀ କାରଣରୁ ୨୦୨୦ର ପ୍ରାରମ୍ଭିକ ପର୍ଯ୍ୟାୟରେ ତୈଳ ଦରରେ ହ୍ରାସ ପରିଲକ୍ଷିତ ହୋଇଥିଲା। ୨୦୨୦ର ପରବର୍ତ୍ତୀ ସମୟରେ ପରିସ୍ଥିତି ଅଧିକ ଖରାପ ଅବସ୍ଥାକୁ ଗତି କଲା ଏବଂ ଏହି ସମୟରେ ପ୍ରଧାନତଃ ତୈଳ ଦର ବ୍ୟାରେଲ ପିଛା ୪୦ ଡଲାର ପାଖାପାଖି ପହଞ୍ଚତ୍ଲା।
କେବଳ ୨୦୨୧ କ୍ୟାଲେଣ୍ଡର ବର୍ଷର ପ୍ରାରମ୍ଭିକ ସମୟରେ ବିପରୀତ ସ୍ଥିତି ପରିଲକ୍ଷିତ ହୋଇଥିଲା; ଯେତେବେଳେ କି ତୈଳର ବୈଶ୍ୱିକ ଚାହିଦାରେ ଅଭିବୃଦ୍ଧି ଘଟିବା ଆରମ୍ଭ ହେଲା ଏବଂ ତୈଳ ଉପତ୍ାଦନ ସଂଘ ଯଥା- ଅର୍ଗାନାଇଜେଶନ ଅଫ ପେଟ୍ରୋଲିୟମ ଏକ୍ସପୋର୍ଟିଂ କଣ୍ଟ୍ରିଜ (ଓ.ପି.ଇ.ସି) ଏବଂ ରୁଷିଆ ସହିତ ଏହାର ସହଯୋଗୀ ରାଷ୍ଟ୍ର ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଉପତ୍ାଦନ କୋଟା ବଜାର ଉପରେ ପ୍ରଭାବ ପକାଇବା ଆରମ୍ଭ କଲା। ଫଳସ୍ବରୂପ, ଅଶୋଧିତ ତୈଳ ଆମଦାନୀ ବିଲ୍ ୨୦୧୯-୨୦ରେ ୧୦୧ ବିଲିୟନ ଡଲାର ହୋଇଥିଲା ବେଳେ ୨୦୨୦-୨୧ରେ ହ୍ରାସପ୍ରାପ୍ତ ହୋଇ ୬୨.୭ ବିଲିୟନ ଡଲାରରେ ପହଞ୍ଚତ୍ଥିଲା। ପରନ୍ତୁ ଆର୍ଥିକ ବର୍ଷ ୨୦୨୧-୨୨ରେ ବୈଶ୍ୱିକ ଦରରେ ବୃଦ୍ଧି ପରିଲକ୍ଷିତ ହେଉଛି ଏବଂ ଏଭଳି ବୃଦ୍ଧି ଘଟୁଛି ଯେ ତାହା ବିଶ୍ୱର ତୃତୀୟ ସର୍ବବୃହତ୍ ତୈଳ ଆମଦାନୀକାରୀ ଓ ବ୍ୟବହାରକାରୀ ରାଷ୍ଟ୍ର ଭାରତକୁ ଗଭୀର ଚିନ୍ତାରେ ପକେଇ ଦେଇଛି। ଭାରତ ତା’ର ମୋଟ ତୈଳ ଆବଶ୍ୟକତାର ୮୪ ପ୍ରତିଶତ ବିଦେଶରୁ ଆମଦାନୀ କରିଥାଏ। ଏଥିପାଇଁ ମଧ୍ୟପ୍ରାଚ୍ୟ ରାଷ୍ଟ୍ରମାନଙ୍କ ଉପରେ ନିର୍ଭର କରିଥାଏ। ଇରାକ ପରେ ଆମେରିକା ଭାରତକୁ ଦ୍ୱିତୀୟ ସର୍ବବୃହତ୍ ତୈଳ ରପ୍ତାନିକାରୀ ରାଷ୍ଟ୍ର ଭାବେ ଉଭା ହୋଇଛି। ୪୮ ପ୍ରତିଶତ ଶସ୍ତା ହୋଇଥିବା ଆମେରିକାର ଅଶୋଧିତ ତୈଳ ଭାରତୀୟ ବିଶୋଧନ କାରଖାନାଗୁଡ଼ିକ କ୍ରୟ କରିଥାନ୍ତି; ଯାହା କି ଭାରତର ମୋଟ ତୈଳ ଆମଦାନୀ ପରିମାଣର ୧୪ ପ୍ରତିଶତ। ଆମେରିକା ପରେ ନାଇଜେରିଆ ଓ ତା’ ପଛକୁ ସାଉଦି ଆରବ ଯଥାକ୍ରମେ ୩ୟ ଓ ୪ର୍ଥ ଅଶୋଧିତ ତୈଳ ରପ୍ତାନିକାରୀ ରାଷ୍ଟ୍ରଭାବେ ଭାରତକୁ ତୈଳ ଯୋଗାଣ କରିଥାନ୍ତି। ଆନ୍ତର୍ଜାତିକ ତୈଳ ବଜାର ୨୦୨୧ର ପରବର୍ତ୍ତୀ ମାସଗୁଡ଼ିକରେ ଅସ୍ଥିର ଓ ପରିବର୍ତ୍ତନ ହେବାକୁ ଯାଉଛି।
ଏହାର କାରଣଏକାଧିକ। ପ୍ରଥମତଃ ପ୍ରମୁଖ ବିକଶିତ ରାଷ୍ଟ୍ରଗୁଡ଼ିକରେ ଟିକାକରଣ କାର୍ଯ୍ୟକ୍ରମ ଫଳପ୍ରଦ ହୋଇଥିବା ସତ୍ତ୍ୱେ ମହାମାରୀ ବିଶ୍ୱର ଏକାଧିକ ରାଷ୍ଟ୍ରକୁ କାବୁ କରି ରଖିଛି। ଏହା ତୈଳର ଚାହିଦାରେ ହ୍ରାସ-ବୃଦ୍ଧି ଘଟାଇବ। ଦ୍ୱିତୀୟତଃ ଅଶୋଧିତ ତୈଳ ରପ୍ତାନି ବଜାର କ୍ଷେତ୍ରରେ ଇରାନର ପ୍ରବେଶ। ଆମେରିକା ଯଦି ଇରାନ ଉପରୁ କଟକଣା ଉଠାଇ ନେବ ବିଶ୍ୱ ବଜାରରେ ଅଶୋଧିତ ତୈଳର ଉପଲବ୍ଧତାରେ ଦ୍ରୁତ ବୃଦ୍ଧି ଘଟିବ। ଆହୁରି ମଧ୍ୟ, ଏକ ଲମ୍ବା ସମୟର ବ୍ୟବଧାନ ପରେ ତୈଳ ରପ୍ତାନି ବଜାରରେ ଇରାନର ପୁନଃପ୍ରବେଶ ଘଟିଲେ ଇରାନ ଓ.ପି.ଇ.ସି. ଦ୍ୱାରା କରାଯାଇଥିବା ଉପତ୍ାଦନ ପ୍ରତିବନ୍ଧକକୁ ମାନି ଚଳିବ ବୋଲି ଆଶା କରିବା ଅସମ୍ଭବ ମନେହୁଏ। ଶେଷରେ ବିଶ୍ୱ ସ୍ତରରେ ଅଶୋଧିତ ତୈଳର ସବିଶେଷ ତାଲିକା ପ୍ରସ୍ତୁତ ହୋଇସାରିଛି। ଆମେରିକାର ତୈଳ କମ୍ପାନୀଗୁଡ଼ିକ ବିଶ୍ୱର ବିଭିନ୍ନ ଦେଶକୁ ତୈଳ ରପ୍ତାନି କରି ନିଜର ଉପସ୍ଥିତି ଜାହିର କରିଛନ୍ତି। ତେଣୁ ଏବେ କାୈଣସି ଭବିଷ୍ୟବାଣୀ କରିବା ଅପରିପକ୍ୱତା ହୋଇପାରେ କିନ୍ତୁ ଅସ୍ଥିରତା ବା ପରିବର୍ତ୍ତନଶୀଳତାର ପ୍ରତିଯୋଗିତା ହେବା ସୁନିଶ୍ଚିତ।
ଯେତେ ଯାହା ହେଲେ ଭାରତ ପାଇଁ ପରିସ୍ଥିତି ଅତ୍ୟନ୍ତ ଅନିଶ୍ଚିତ, ଅସୁରକ୍ଷିତ। କାରଣ ତୈଳର ଅନ୍ତର୍ଦ୍ଦେଶୀୟ ଉପଯୋଗ ଉଲ୍ଲେଖଯୋଗ୍ୟ ଭାବେ ବୃଦ୍ଧି ଘଟିବାର ଆଶା କରାଯାଉଛି। ଲକ୍ଡାଉନ୍ ଯୋଗୁ ଗତବର୍ଷ ତୈଳ ଚାହିଦା ପ୍ରୟୋଜନୀୟତାଠାରୁ ବହୁତ କମ୍ ଥିଲା। ତେଣୁ ତୈଳ ଆମଦାନୀରେ ହ୍ରାସ ଘଟିଥିଲା ଏବଂ ଆନ୍ତର୍ଜାତିକ ତୈଳଦରରେ କ୍ରମାଗତ ମନ୍ଦାବସ୍ଥା ଯୋଗୁ ତୈଳ ଦର ମଧ୍ୟ ସହଜରେ ସାଧ୍ୟ ବା ନିର୍ବାହଯୋଗ୍ୟ ହୋଇପାରିଥିଲା। ଏପ୍ରିଲ ୨୦୨୦ରେ ତୈଳ ଦରରେ ଅସାଧାରଣ ଭାବେ ହ୍ରାସ ଘଟି ବ୍ୟାରେଲ ପିଛା ୨୦ ଡଲାର ହୋଇଥିଲା, ଯାହା ଫଳରେ କି ବହୁଳ ପରିମାଣରେ ତୈଳ ଆମଦାନୀ କରିବାକୁ ଓ ଅଶୋଧିତ ତୈଳ ଭଣ୍ଡାର ଭର୍ତ୍ତି କରିବାକୁ ଭାରତକୁ ସୁଯୋଗ ମିଳିଥିଲା।
ଅଶୋଧିତ ତୈଳର ଆମଦାନୀରେ ହ୍ରାସ ଘଟାଇ ତହିଁରେ ଇଥାନଲ ଅଧିକ ପରିମାଣରେ ମିଶ୍ରଣ କରିବା ପୂର୍ବାପେକ୍ଷା ଅଧିକ ଭଲ ହୋଇପାରିଛି। ପେଟ୍ରୋଲରେ ଇଥାନଲର ମିଶ୍ରଣ ପାଇଁ ଆନ୍ତଃ ମନ୍ତ୍ରିମଣ୍ଡଳ ସ୍ତରୀୟ ରିପୋର୍ଟ ୨ ଜୁନ ୨୦୨୧ରେ କେନ୍ଦ୍ର ସରକାରଙ୍କ ପାଖରେ ଉପସ୍ଥାପନା କରାଯାଇଛ। ଏହି ରିପୋର୍ଟ ନୀତି ଆୟୋଗ ଏବଂ ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଆନୁକୂଲ୍ୟରେ ପ୍ରସ୍ତୁତ ହୋଇଛି। ନୀତି ଆୟୋଗର ଅତିରିକ୍ତ ସଚିବ ଡ. ରାକେଶ ସରୱାଲଙ୍କ ଅଧ୍ୟକ୍ଷତାରେ ଏହି ଆନ୍ତଃ-ମନ୍ତ୍ରିମଣ୍ଡଳ ସ୍ତରୀୟ କମିଟି ଗଠନ କରାଯାଇଥିଲା। ଦେଶରେ ଇଥାନଲର ସାଂପ୍ରତିକ ବାର୍ଷିକ ଉପତ୍ାଦନ ପରିମାଣ ୩୨୦ କୋଟି ଲିଟର ସ୍ତରରୁ ତୀବ୍ର ଅଭିବୃଦ୍ଧି ସ୍ତରକୁ ଯିବା ପାଇଁ ଏହି ରିପୋର୍ଟ ଆହ୍ବାନ ଦେଇଛି। ୨୦୨୦-୨୧ରେ ଭାରତର ମୋଟ ତୈଳ ଆମଦାନୀ ୧୮୫ ମିଲିୟନ ଟନ ଥିଲା ଏବଂ ଏଥିପାଇଁ ୫୫ ବିଲିୟନ ଆମେରିକୀୟ ଡଲାର ବୈଦେଶିକ ମୁଦ୍ରା ଦେବାକୁ ପଡିଥିଲା। ଅଧିକାଂଶ ପେଟ୍ରୋଲିୟମ ପ୍ରଡକ୍ଟ ଗମନାଗମନ କ୍ଷେତ୍ରରେ ହିଁ ବିନିଯୋଗ ହୋଇଥାଏ। ଏକ ସଫଳ ‘ଇଥାନଲ-୨୦’ ପ୍ରୋଗ୍ରାମ ମାଧ୍ୟମରେ ଦେଶ ବର୍ଷକୁ ୪ ବିଲିୟନ ଆମେରିକୀୟ ଡଲାର ବା ୩୦,୦୦୦ କୋଟି ଟଙ୍କା ସଞ୍ଚୟ କରିପାରିବ। ଅପରପକ୍ଷରେ, ଇଥାନଲ ସ୍ବଳ୍ପ ପ୍ରଦୂଷଣକାରକ ଇନ୍ଧନ ଏବଂ ପେଟ୍ରୋଲ ତୁଳନାରେ ସମତୁଲ୍ୟ କାର୍ଯ୍ୟଦକ୍ଷ ହେବା ସହ ସ୍ବଳ୍ପ ମୂଲ୍ୟରେ ଉପଲବ୍ଧ ହୋଇଥାଏ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଏଜେନ୍ସି ଇଥାନଲ ମିଶ୍ରିତ ପେଟ୍ରୋଲର ବିକ୍ରିବଟା ଏବଂ ଫଳପ୍ରଦ ବ୍ୟବହାର ପାଇଁ ଅନୁକୂଳ ମନୋଭାବସମ୍ପନ୍ନ ଏକ ନିୟାମକ ଓ ଖୁଚୁରା ବା ପାଇକାରୀ ଇକୋ-ସିଷ୍ଟମର ପ୍ରଚଳନ ପାଇଁ ବ୍ରତୀ ଅଛନ୍ତି। ନିକଟ ଅତୀତରେ ଗୁଡ ଓ ଶସ୍ୟଭିତ୍ତିକ ମଦ କାରଖାନା ପାଇଁ ମଞ୍ଜୁର ହୋଇଥିବା ‘ଇଣ୍ଟରେଷ୍ଟ ସବ୍ଭେନସନ୍ ଇନ୍ସେନ୍ଟିଭ୍ସ’ ଅର୍ଥାତ୍ ସୁଧ ପାଇଁ ଆର୍ଥିକ ସାହାଯ୍ୟର ପ୍ରୋତ୍ସାହନ କାରଣରୁ ୨୦୨୫ ସୁଦ୍ଧା ପେଟ୍ରୋଲ ସହ ୨୦ ପ୍ରତିଶତ ଇଥାନଲର ମିଶ୍ରଣ ସମ୍ଭବପର।
ତୈଳ ବିପଣନ କମ୍ପାନୀ ଇନ୍ଧନରେ ପେଟ୍ରୋଲର ପରିମାଣ ପର୍ଯ୍ୟାୟକ୍ରମେ ହ୍ରାସ ପାଇଁ ନିଜର ଯୋଜନା ପ୍ରସ୍ତୁତ କରିଛନ୍ତି ଏବଂ ଯାନବାହନର ନିର୍ମାତାମାନେ ମଧ୍ୟ ଏ ନେଇ ନିଜସ୍ବ ଯୋଜନା ପ୍ରସ୍ତୁତି ପାଇଁ ସରକାରଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି।
‘ଇଥାନଲ -୨୦’ ଇନ୍ଧନ ବ୍ୟବହାର କରୁଥିବା ଯାନବାହନ ପାଇଁ ଭାରତ ଷ୍ଟେଜ ଏମିସନ୍ ଷ୍ଟାଣ୍ଡାର୍ଡ -୬ ର ବାୟୁ ପ୍ରଦୂଷଣ ନୀତି ନିୟମ ଲାଗୁ ହେବ। ଯାନବାହନରେ ଇଥାନଲ ମିଶ୍ରିତ ପେଟ୍ରୋଲର ବ୍ୟବହାର ଦ୍ୱାରା ଆମେ ପ୍ରଦୂଷଣ ମାତ୍ରାକୁ ବହୁ ପରିମାଣରେ ହ୍ରାସ କରିପାରିବା । ଏହା ଏକ ରାଷ୍ଟ୍ରୀୟ ଏଜେଣ୍ଡା ଓ ପାରିବେଶିକ ଲକ୍ଷ୍ୟ। ସଂପ୍ରତି ଇଥାନଲ ବା ଇଥାଇଲ୍ ଆଲ୍କୋହଲ ମୁଖ୍ୟତଃ ଆଖୁରୁ ହିଁ ପ୍ରସ୍ତୁତ ହେଉଛି ଯଦିଓ ଏହା ବିଭିନ୍ନ ଶସ୍ୟରୁ ମଧ୍ୟ ପ୍ରସ୍ତୁତ କରାଯାଇପାରେ। ଇଥାନଲ ପ୍ରସ୍ତୁତି ପାଇଁ ମାତ୍ରାଧିକ ପରିମାଣ ଜଳର ଆବଶ୍ୟକତା ପଡ଼ିବ। ଏହା ଦେଶର ଜଳ ସଂପଦର ବହୁଳ ପରିମାଣରେ ହ୍ରାସ ଘଟାଇବାର ସମ୍ଭାବନା ରହିଛି। ଫଳସ୍ବରୂପ ଅନ୍ୟାନ୍ୟ ଖାଦ୍ୟଶସ୍ୟର ଉପତ୍ାଦନ କ୍ଷେତ୍ରରେ ଏହାର ଗୁରୁତର ପ୍ରଭାବ ପଡ଼ିବ ଏବଂ ସେହି ସବୁ ଖାଦ୍ୟଶସ୍ୟର ଭବିଷ୍ୟତ ଉପଲବ୍ଧତା ଓ ମୂଲ୍ୟ ମଧ୍ୟ ପ୍ରଭାବିତ ହେବ। କେନ୍ଦ୍ର ସରକାରଙ୍କ ରିପୋର୍ଟ କେବଳ ଆଖୁ ଉପରେ ନିର୍ଭରଶୀଳ ନ ହୋଇ ଶସ୍ୟଭିତ୍ତିକ ଇଥାନଲ୍ କାରଖାନା ସ୍ଥାପନା ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରିଛି କିନ୍ତୁ ସମଗ୍ର ଦେଶରେ ଏଭଳି ଭିତ୍ତିଭୂମି ପ୍ରତିଷ୍ଠା କରିବା ନିଶ୍ଚିତ ସମୟସାପେକ୍ଷ। ପରନ୍ତୁ ଆମକୁ ସମ୍ପୂର୍ଣ୍ଣ ଦୃଶ୍ୟପଟ ପ୍ରତି ମଧ୍ୟ ଲକ୍ଷ୍ୟ ରଖିବାକୁ ପଡ଼ିବ, ଯେପରି ଅନ୍ୟାନ୍ୟ ପାରିବେଶିକ କ୍ଷେତ୍ରଗୁଡ଼ିକର ସନ୍ତୁଳନ ବିଗିଡ଼ି ନ ଯାଏ।
ମୋ-୯୩୩୮୨୦୪୯୯୩