ପେଟ୍ରୋଲ ୨୬, ଡିଜେଲ ୩୬ ପଇସା ବୃଦ୍ଧି

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୫: କରୋନା ମହାମାରୀ ସମୟରେ କ୍ରମାଗତ ଭାବେ ଦେଶରେ ତୈଳ ଦର ବୃଦ୍ଧି ପାଉଛି। ଗତ ୨ଦିନର ବିରତି ପରେ ପୁଣି ଥରେ ଏହା ବଢିଛି। ଫଳରେ ସାରା ଦେଶରେ ତେଲ ଦର ରେକର୍ଡ କରିବା ସହ ୩ ପ୍ରମୁଖ ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ମହାରାଷ୍ଟ୍ରରେ ପେଟ୍ରୋଲ ୧୦୦ଟଙ୍କା ଉପରେ ରହିଛି। ସେହିଭଳି ଏହି ସବୁ ରାଜ୍ୟରେ ଡିଜେଲ ଦର ମଧ୍ୟ ୯୫ ଟଙ୍କାରେ ବିକ୍ରି ହେଉଥିବା ଜଣାପଡିଛି। ଏପରି କି ଓଡିଶାର ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ୯୭ ଟଙ୍କା ଟପିଯାଇଥିବା ବେଳେ ଏହାର ପ୍ରିମିୟମ ଦର ୧୦୦ ଟଙ୍କାକୁ ଛୁଇଁଥିବା ସୂଚନା ମିଳିଛି।
ପେଟ୍ରୋଲ ୨୬…
ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ (ଆଇଓସିଏଲ୍‌) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସୋମବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୨୬ ପଇସା ଏବଂ ଡିଜେଲ ୩୬ ପଇସା ବଢିଛି। ଫଳରେ ଏଠାରେ ପେଟ୍ରୋଲ ଦର ୯୨.୨୨ ଟଙ୍କା ହୋଇଥିବା ବେଳେ ଡିଜେଲ ଦର ୮୯.୩୯ ଟଙ୍କାରେ ପହଞ୍ଚତ୍ଛି। ସେହିଭଳି ନୂଆଦିଲ୍ଲୀରେ ପେଟ୍ରୋଲ ଉପରେ ୨୬ ପଇସା ଏବଂ ଡିଜେଲରେ ୩୩ ପଇସା ବୃଦ୍ଧି ଘଟି ସେଠାରେ ପେଟ୍ରୋଲ ଦର ଲିଟର ପିଛା ୯୧.୫୩ ଟଙ୍କା ଓ ଡିଜେଲ ଲିଟର ପିଛା ୮୨.୦୬ ଟଙ୍କାରେ ବିକ୍ରି ହେଉଛି।
ଦେଶର ଅନ୍ୟ ପ୍ରମୁଖ ମେଟ୍ରୋ ସହର ଚେନ୍ନାଇ, କୋଲକାତା ଏବଂ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଯଥାକ୍ରମେ ୯୩.୩୮ ଟଙ୍କା, ୯୧.୬୬ ଟଙ୍କା ଏବଂ ୯୭.୮୬ ଟଙ୍କାକୁ ଛୁଇଁଛି। ସେହିପରି ଏହିସବୁ ମେଟ୍ରୋ ସହରରେ ଡିଜେଲ ଦର ଲିଟର ପିଛା ୮୬.୯୬ ଟଙ୍କା, ୮୪.୯୦ ଟଙ୍କା ଏବଂ ୮୯.୧୭ ଟଙ୍କାକୁ ବୃଦ୍ଧି ଘଟିଥିବା ଜଣାପଡିଛି।
ଗତ କିଛି ମାସ ମଧ୍ୟରେ ତେଲ ଦର ଅହେତୁକ ଭାବେ ବୃଦ୍ଧି ପାଇ ଦେଶରେ ସର୍ବୋଚ୍ଚ ରେକର୍ଡ ସୃଷ୍ଟି କରିଛି। ଏପରିକି ଗତ ୫ ଦିନରେ ନୂଆଦିଲ୍ଲୀରେ ପେଟ୍ରୋଲ ଉପରେ ୧.୧୪ ଟଙ୍କା ଏବଂ ଡିଜେଲ ୧.୩୩ ଟଙ୍କା ବଢିଥିବା ତୈଳ ବିପଣନ କମ୍ପାନୀଗୁଡିକ ପକ୍ଷରୁ କୁହାଯାଇଛି। ସେହିପରି ଏହି ସମୟ ମଧ୍ୟରେ ଓଡିଶାରେ ପେଟ୍ରୋଲ ୧.୧୦ଟଙ୍କା ଏବଂ ଡିଜେଲ ୧.୪୧ ଟଙ୍କା ବଢିଥିବା ଜଣାପଡିଛି।

Share