ପ୍ଲାଷ୍ଟିକ, ପଲିଥିନରୁ ତିଆରି ହେଉଛି ପେଟ୍ରୋଲ

ଖୋର୍ଦ୍ଧା ଅଫିସ,୬ା୫: ଦୃଢ଼ ମନୋବଳ ଓ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳିଥାଏ। ଏହାକୁ ପ୍ରମାଣିତ କରିଛନ୍ତି ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ ଅନ୍ତର୍ଗତ ରାଧାଚରଣପୁର ଗ୍ରାମର ଅଜୟ ବେହେରା। ମାତ୍ର ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ଅଜୟ ପ୍ଲାଷ୍ଟିକ ଓ ପଲିଥିନରୁ ଦୈନିକ ଦୁଇରୁ ତିନି ଲିଟର ପର୍ଯ୍ୟନ୍ତ ପେଟ୍ରୋଲ ତିଆରି କରୁଛନ୍ତି। ଦୁଇ ବର୍ଷର ପରିଶ୍ରମ ଓ ଚେଷ୍ଟା ପରେ ତାଙ୍କୁ ଏହି ସଫଳତା ମିଳିଛି। ବିଶ୍ବରେ ତୈଳ ସଙ୍କଟ ସାଙ୍ଗକୁ ଦର ବଢ଼ି ଚାଲିଥିବା ବେଳେ ତାଙ୍କର ଏହି ନିଆରା ଉଦ୍ଭାବନ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପ୍ରକଳ୍ପକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମୁଛି।
ଏନେଇ ଅଜୟ କୁହନ୍ତି, ୟୁଟ୍ୟୁବରୁ ସେ ପେଟ୍ରୋଲ ତିଆରି ସମ୍ବନ୍ଧୀୟ ଜାଣିବାକୁ ପାଇଥିଲେ। ଏହା ପରେ ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା। ସେ ତାଙ୍କ ଘର ବାରିପଟେ ଏକ ଲୁହାର ବୟଲ ଚାମ୍ବର (ବାକ୍ସ) ସହ ତିନୋଟି ଛୋଟ ଗ୍ୟାସ ଟାଙ୍କି, ବଡ଼ ଗ୍ୟାସ ସିଲିଣ୍ଡର ସହ ପାଇପ ସଂଯୋଗ କରିଛନ୍ତି। ପ୍ରଥମେ ଏଥିରେ ସଂଗୃହୀତ ପଲିଥିନ ଓ ପ୍ଲାଷ୍ଟିକକୁ ଟୁକୁଡା କରି ପକାଯାଇଥାଏ। ୩୬୦ଡିଗ୍ରୀ ସେଲସିୟସରେ ଗରମ ହେବା ପରେ ପ୍ରଥମେ ସିଲିଣ୍ଡରରେ ଗ୍ୟାସ ଏକତ୍ର ହୋଇଥାଏ। ଦୁଇରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିଥାଏ। ଧୀରେ ଧୀରେ ପଲିଥିନ ଚ୍ୟାମ୍ବରରେ ବାଷ୍ପ ଉଦ୍‌ଗାମୀ ହୋଇ ପାଇପ୍‌ ଯୋଗେ ଗ୍ୟାସ ଟାଙ୍କିରେ ସଂଗ୍ରହ ହୋଇଥାଏ। ତୈଳ ଅଲଗା ଟାଙ୍କିରେ ସଂଗ୍ରହ ହୋଇଥିବା ଅଜୟ ଦାବି କରିଛନ୍ତି। ପେଟ୍ରୋଲ ସଂଗ୍ରହ ପରେ ଏହାକୁ ବଜାରରେ ପ୍ୟୁରିଫାଏର କରି ବ୍ୟବହାର କରିଥିବା ଜଣାଇଛନ୍ତି। ସଂଗୃହୀତ ତୈଳରୁ ୨୦ରୁ ୨୫କିମି ବାଇକ୍‌ରେ ଯାତ୍ରା କରିଛନ୍ତି। ଏହି ପ୍ରକଳ୍ପରେ ମୋଟ୍‌ ୫୦ ରୁ୬୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳିଲେ ଆଗାମୀ ଦିନରେ ଦୈନିକ ୨୦ରୁ ୩୦ଲିଟର ପର୍ଯ୍ୟନ୍ତ ତୈଳ ତିଆରି କରିବାକୁ ଆଶା ରଖିଥିବା ସେ କହିଛନ୍ତି। ତେବେ ୟ୍ୟୁଟୁବରୁ ଦେଖି ଏହି ପ୍ରକଳ୍ପ ଆରମ୍ଭ କରିଥିଲେ ମଧ୍ୟ ପ୍ରଥମେ ସଫଳତା ମିଳିନଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଏଥିରେ ନୂଆ କୌଶଳ ପ୍ରୟୋଗ କରିଥିଲି। ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲି। ପୁଣି ଥରେ ନୂତନ ଜ୍ଞାନକୌଶଳରେ ଆରମ୍ଭ କରିବାକୁ ଚେଷ୍ଟା କରିଥିଲି। ତାହାର ଫଳ ଏବେ ମିଳିଛି। ଏଥିଲାଗି ବାଇକ୍‌କୁ ବିକ୍ରି କରିଦେଇଥିଲେ ବୋଲି ଅଜୟ କହିଛନ୍ତି। ସେ ଏବେ ଠିକାରେ ଇଲେକ୍ଟ୍ରି ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଅଜୟଙ୍କ ବାପା କୈଳାସ କୁହନ୍ତି, ଏସମ୍ପର୍କରେ ଜଣାଇବା ପରେ କିଛି ଅଘଟଣ ଆଶଙ୍କାରେ ମନା କରିଥିଲି। କିନ୍ତୁ ଅଜୟ ଚେଷ୍ଟା ଜାରି ରଖିଥିଲା। ଯେଉଁଦିନ ପେଟ୍ରାଲ ବାହାରିବା ସମ୍ପର୍କରେ ଜଣାଇଥିଲା ଖୁସି ହୋଇଥିଲି। ଅଭାବ ଅନଟନ ଏଥିରେ ବାଧକ ସାଜିନାହଁି, ସେ ଏହାକୁ ପ୍ରମାଣ କରିଛି ବୋଲି କୈଳାସ କହିଛନ୍ତି। ପରିବେଶବିତ୍‌ ଧନେଶ୍ବର ବିଧାର କୁହନ୍ତି, ପ୍ଲାଷ୍ଟିକ ଓ ପଲିଥିନ ସମାଜ ପାଇଁ କ୍ଷତିକାରକ। ଏହା ଦ୍ବାରା ପରିବେଶ ପ୍ରଦୂଷଣ ସହ ଜୈବ ବିବିଧତା ନଷ୍ଟ ହେଉଛି। ଅଜୟଙ୍କ ଏହି ପ୍ରଚେଷ୍ଟା ବ୍ୟାପକ ପରିବର୍ତ୍ତନ ଆଣିପାରିବ।

Share