
ନୂଆଦିଲ୍ଲୀ, ୨।୨: ଦେଶରେ ବୃଦ୍ଧି ପାଉଥିବା ପେଟ୍ରୋଲ ଏବଂ ଡିଜେଲ ଦାମ୍ ନେଇ ଭାଜପାର ରାଜ୍ୟ ସଭା ସଦସ୍ୟ ସୁବ୍ରମଣ୍ୟମ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କଟାକ୍ଷ କରି କହିଛନ୍ତି ଯେ,ରାବଣଙ୍କ ଲଙ୍କାରେ ପେଟ୍ରୋଲ ଲିଟର ୫୧ ଟଙ୍କା ଥିବାବେଳେ ରାମଙ୍କ ଭାରତରେ ଏହା ୯୩ ଟଙ୍କା ହୋଇଛି। ସୋମବାର କେନ୍ଦ୍ରୀୟ ବଜେଟରେ ପେଟ୍ରୋଲ ଉପରେ ୨ଟଙ୍କ ୫୦ ପଇସା ଏବଂ ଡିଜେଳ ଉପରେ ୪ ଟଙ୍କା କୃଷି ଉପକର ଲାଗୁ କରାଯିବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଘୋଷଣା କରିଥିଲେ। ଏହାକୁ ନେଇ ମଙ୍ଗଳବାର ସୁବ୍ରମଣ୍ୟମ ସ୍ବାମୀ ଶ୍ରୀଲଙ୍କା ଓ ନେପାଳର ପେଟ୍ରୋଲ ଦାମ ସହିତ ଭାରତର ତୁଳନା କରିଛନ୍ତି। ସେହିପରି ସୀତାଙ୍କ ନେପାଳରେ ପେଟ୍ରୋଲ ଲିଟର ପିଛା ଦାମ ୫୩ ଟଙ୍କା ଥିବା ସେ ଟୁଇଟ୍ କରି ସୂଚନା ଦେବା ସହିତ ଏକ ଫଟୋ ମଧ୍ୟ ନିଜ ଟୁଇଟର ହ୍ୟାଣ୍ଡେଲରେ ଅପଲୋଡ୍ କରିଛନ୍ତି। ଏବେ ଏହା ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।