ରାଜ୍ୟରେ ବେଲଗାମ ପେଟ୍ରୋଲ ଦର: ସବୁଠି ୧୦୦ ଟପିଛି

ଭୁବନେଶ୍ୱର,୫।୭: ଦିନକର ବିରତି ପରେ ପୁଣି ଥରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଏହି ଦର ବୃଦ୍ଧି ଫଳରେ ସାରା ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଟପିଯାଇଛି। ସେହିଭଳି କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ନୂଆପଡ଼ା, ନବରଙ୍ଗପୁର ଓ ମାଲକାନଗିରି ଭଳି ୬ ଜିଲାରେ ଡିଜେଲ ଦର ମଧ୍ୟ ୧୦୦ ଟଙ୍କା ଟପିଛି। ରବିବାର ଜଗତ୍‌ସିଂହପୁରରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଥିବାବେଳେ ମାଲକାନଗିରି ସର୍ବାଧିକ ୧୦୬ ଟଙ୍କାରେ ବିକ୍ରି ହେଉଥିବା ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତବର୍ଷ ମେ’ ୪ ପରଠାରୁ କ୍ରମାଗତ ଭାବେ ତୈଳ ଦର ବଢ଼ିଚାଲିଛି। ଗତ ୯ ସପ୍ତାହ ମଧ୍ୟରେ ପେଟ୍ରୋଲ ୩୪ ଥର ଏବଂ ଡିଜେଲ ୩୩ ଥର ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଭୁବନେଶ୍ୱରରେ ପେଟ୍ରୋଲ ଉପରେ ୯.୧୮ ଟଙ୍କା ଏବଂ ଡିଜେଲରେ ୯.୪୧ ଟଙ୍କା ବୃଦ୍ଧି ଘଟିଲାଣି।
ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ୍‌ (ଆଇଓସିଏଲ୍‌)ର ସୂଚନା ଅନୁସାରେ ରବିବାର ଭୁବନେଶ୍ୱରରେ ପେଟ୍ରୋଲ ୩୫ ଏବଂ ଡିଜେଲ ୨୦ ପଇସା ବଢିଛି। ଫଳରେ ଏଠାରେ ପେଟ୍ରୋଲ ଲିଟର ପିଛା ୧୦୦.୩୦ ଟଙ୍କା ଏବଂ ଡିଜେଲ ୯୭.୩୯ ଟଙ୍କାରେ ବିକ୍ରି ହେଉଥିବା ଜଣାପଡିଛି। ସେହିଭଳି କଟକ ସହରରେ ପେଟ୍ରୋଲ ଲିଟର ପିଛା ୧୦୦.୬୩ ଟଙ୍କା ଏବଂ ଡିଜେଲ ୯୭.୭୦ ଟଙ୍କାରେ ପହଞ୍ଚତ୍ଛି।
ଅପରପକ୍ଷରେ ନୂଆଦିଲ୍ଲୀରେ ପେଟ୍ରୋଲ ୩୫ ଏବଂ ଡିଜେଲ ୧୮ ପଇସା ବଢ଼ିଥିବା ସୂଚନା ମିଳିଛି। ଫଳରେ ସେଠାରେ ପେଟ୍ରୋଲ ଲିଟର ପିଛା ୯୯.୫୧ ଟଙ୍କା ଏବଂ ଡିଜେଲ ୮୯.୩୬ ଟଙ୍କାରେ ପହଞ୍ଚତ୍ଛି। ମେ’ ୪ ପରଠାରୁ ଦିଲ୍ଲୀରେ ପେଟ୍ରୋଲ ଉପରେ ୯.୧୧ ଟଙ୍କା ଏବଂ ଡିଜେଲ ୮.୬୩ ଟଙ୍କା ବୃଦ୍ଧି ପାଇଥିବା ଜଣାପଡିଛି। ଅନ୍ୟ ପ୍ରମୁଖ ମେଟ୍ରୋ ସହର ଚେନ୍ନାଇ, କୋଲକାତା ଏବଂ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଯଥାକ୍ରମେ ୧୦୦.୪୪ ଟଙ୍କା, ୯୯.୪୫ ଟଙ୍କା ଏବଂ ୧୦୫.୫୮ ଟଙ୍କାରେ ବିକ୍ରି ହେଉଛି। ଏହି ସହରଗୁଡ଼ିକରେ ଡିଜେଲ ଦର ଯଥାକ୍ରମେ ୯୩.୯୧, ୯୨.୨୭ ଏବଂ ୯୬.୯୧ ଟଙ୍କାରେ ପହଞ୍ଚତ୍ଛି। ଦେଶରେ ସର୍ବାଧିକ ତୈଳ ଦର ରାଜସ୍ଥାନର ଗଙ୍ଗାନଗର ଅଞ୍ଚଳରେ ରହିଛି। ସେଠାରେ ପେଟ୍ରୋଲ ୧୧୧ ଟଙ୍କା ଏବଂ ଡିଜେଲ ୧୦୩ ଟଙ୍କାରେ ବିକ୍ରି କରାଯାଉଛି।
କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଯଥାକ୍ରମେ ୩୨.୯୦ ଏବଂ ୩୧.୮୦ ଟଙ୍କା ଉପତ୍ାଦ ଶୁଳ୍କ ଆକାରରେ ନେଉଥିବା ବେଳେ ରାଜ୍ୟ ସରକାର ଯଥାକ୍ରମେ ୨୩.୪୮ ଏବଂ ୨୦.୮୫ ଟଙ୍କା ଭାଟ ଆକାରରେ ସଂଗ୍ରହ କରୁଛନ୍ତି। ତୈଳଦର ବୃଦ୍ଧିର ପ୍ରଭାବରେ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ମଧ୍ୟ ଅହେତୁକ ଭାବେ ବଢ଼ିଚାଲିଛି, ଯାହାକୁ ଜନସାଧାରଣଙ୍କୁ ତଳିତଳାନ୍ତ କରିଦେଲାଣି।

Share