Categories: ବାଣିଜ୍ୟ

ପେଟ୍ରୋଲ ୧୯, ଡିଜେଲ ୨୭ ପଇସା ବଢ଼ିଲା

ଭୁବନେଶ୍ୱର,୨୮।୧୧: କରୋନା ମହାମାରୀ ସମୟରେ ଲଗାତର ତେଳ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଉଛି। ଗତ ସପ୍ତାହ ଶୁକ୍ରବାରଠାରୁ ତେଲ ଦର ବଢି ଚାଲିଛି। କେବଳ ବୁଧବାରକୁ ଛାଡି ଅନ୍ୟ ସବୁଦିନ ଇନ୍ଧନ ଦର ବଢିଛି। ଗତ ୮ ଦିନ ମଧ୍ୟରେ ୭ ଦିନ ପେଟ୍ରୋଲ, ଡିଜେଲ ଦର ବଢିବା ଯୋଗୁ ଏହା ଖାଉଟିଙ୍କ ଚିନ୍ତାରେ ପକାଇଛି। ଲଗାତର ଏଭଳି ଦର ବୃଦ୍ଧି ଲୋକଙ୍କୁ ଅତିଷ୍ଟ କରୁଥିବା ଜଣାପଡିଛି। ଶୁକ୍ରବାର ଭୁବନେଶ୍ୱରରେ ପେଟ୍ରୋଲ ୧୯ ପଇସା ବଢିବା ଯୋଗୁ ଲିଟର ପିଛା ଦର ୮୨.୫୦ଟଙ୍କା ଛୁଇଁଛି। ସେହିଭଳି ଏଠାରେ ଡିଜେଲ ୨୭ ପଇସା ବଢିବା ଫଳରେ ଲିଟର ପିଛା ଲୋକଙ୍କୁ ୭୮.୨୬ ଟଙ୍କା ଦେବାକୁ ପଡୁଛି। ଦେଶର ପ୍ରମୁଖ ମେଟ୍ରୋ ସହରଗୁଡିକରେ ପେଟ୍ରୋଲ ଦର ୧୮ରୁ ୧୯ ପଇସା ଏବଂ ଡିଜେଲ ୨୪ରୁ ୧୬ ପଇସା ଊର୍ଦ୍ଧ୍ୱରେ ରହିଛି। ନୂଆ ଦିଲ୍ଲୀରେ ପେଟ୍ରୋଲ ୮୧.୮୯ ଟଙ୍କା ଥିବା ବେଳେ ଚେନ୍ନାଇରେ ୮୪.୯୧ ଟଙ୍କା, କୋଲକାତାରେ ୮୩.୪୪ ଟଙ୍କା ଏବଂ ମୁମ୍ବାଇରେ ସର୍ବାଧିକ ୮୮.୫୮ ଟଙ୍କା ରହିଛି। ସେହିଭଳି ଏହି ସହରଗୁଡିକରେ ଡିଜେଲ ଦର ଯଥାକ୍ରମେ ୭୧.୮୬ ଟଙ୍କା, ୭୭.୩୦ ଟଙ୍କା, ୭୫.୪୩ ଟଙ୍କା ଏବଂ ୭୮.୩୮ ଟଙ୍କା ରହିଥିବା ତୈଳ ବିପଣନ କମ୍ପାନୀଗୁଡିକ ପକ୍ଷରୁ ସୂଚନା ରହିଛି।

Share