Categories: ମେଟ୍ରୋ

ପେଟ୍ରୋଲ୍‌ ପମ୍ପ ବିସ୍ଫୋରଣ ମାମଲା: ଅନଭିଜ୍ଞ କାମ କରୁଥିବା କହିଲା ପେସୋ

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାକୁ ଇତିମଧ୍ୟରେ ଦେଢ଼ମାସରୁ ଊର୍ଦ୍ଧ୍ୱ ବିତିଲାଣି। ଏହି ଘଟଣାରେ ବିଭିନ୍ନ ସଂସ୍ଥା ତଦନ୍ତ କରୁଥିଲେ ସୁଦ୍ଧା କେଉଁ କାରଣରୁ ବିସ୍ଫୋରଣ ହେଲା, ସେନେଇ କେହି ସ୍ପଷ୍ଟଭାବେ କହିପାରୁ ନାହାନ୍ତି। ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ ସେଫ୍ଟି ଅର୍ଗାନାଇଜେଶନ(ପେସୋ) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିସ୍ଫୋରଣରେ ଆହତ ସୁପରଭାଇଜର ରିପୁଦମନ ଶ୍ରୀବାସ୍ତବ ଏବଂ ମୃତକ ସୀମାଞ୍ଚଳ ପରିଡ଼ା ମେଣ୍ଟେନାନ୍ସ(ରକ୍ଷଣାବେକ୍ଷଣ) କାର୍ଯ୍ୟ ପାଇଁ ଅନ୍‌ଫିଟ ଥିଲେ। ସୀମାଞ୍ଚଳଙ୍କୁ ଟେଷ୍ଟିଂ ଏବଂ ମେଣ୍ଟେନାନ୍ସ କାର୍ଯ୍ୟର ସୁପରଭାଇଜ୍‌ କରିବାକୁ ନିଯୁକ୍ତି ଦିଆଯାଇଥିଲା। ଉକ୍ତ ପେଟ୍ରୋଲ୍‌ ପମ୍ପର ମେଣ୍ଟେନାନ୍ସ ଏବଂ ଟେଷ୍ଟିଂ ଦାୟିତ୍ୱ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେଶନ ଲିମିଟେଡ(ଆଇଓସିଏଲ୍‌) କର୍ତ୍ତୃପକ୍ଷ ଫରିଦାବାଦ୍‌ସ୍ଥିତ ସୌରଶକ୍ତି ଭେସେଲ୍‌କୁ ଦେଇଥିଲେ। ସୌରଶକ୍ତି ଭେସେଲ ସୀମାଞ୍ଚଳଙ୍କୁ ନିଯୁକ୍ତି ଦେଇଥିଲା। ପେଟ୍ରୋଲିୟମ ଆକ୍ଟ-୧୯୮୪ ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କ ଏହି କାର୍ଯ୍ୟ ପାଇଁ ସର୍ବନିମ୍ନ ୧୦ବର୍ଷର ଅଭିଜ୍ଞତା ଥିବ ଏବଂ ତାଙ୍କୁ ନାଗପୁରସ୍ଥିତ ପେସୋ କର୍ତ୍ତୃପକ୍ଷ ଉପଯୁକ୍ତ ସ୍ବୀକୃତି ଦେଇଥିବେ, ସେହିମାନେ ହିଁ ଟେଷ୍ଟିଂ ଓ ମେଣ୍ଟେନାନ୍ସ କାର୍ଯ୍ୟର ସୁପରଭାଇଜ୍‌ କରିପାରିବେ। ସେହିପରି ମାଟିତଳେ ଥିବା ଖାଲି ଟ୍ୟାଙ୍କରରେ ନିମ୍ନ ମାନର ଏବଂ ପୁରୁଣା ସାମଗ୍ରୀ ବ୍ୟବହାର ହେଉଥିବା ପ୍ରାଥମିକ ତଦନ୍ତ ବେଳେ ଜଣାପଡ଼ିଥିଲା। ଅନ୍ୟପକ୍ଷେ ଟ୍ୟାଙ୍କର ମୋଟେଇ ଅନୁମୋଦିତ ମାତ୍ରାଠାରୁ କମ୍‌ ଥିବା ଆଇଓସିଏଲ୍‌ କର୍ତ୍ତୃପକ୍ଷ ତଦନ୍ତ ସମୟରେ ଜାଣିବାକୁ ପାଇଛନ୍ତି। ଟ୍ୟାଙ୍କରର ଖଣ୍ଡବିଖଣ୍ଡିତ ଅଂଶ ସିଏସ୍‌ଆଇଆର ଏବଂ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍‌ସ ଟେକ୍ନୋଲୋଜି(ଆଇଏମ୍‌ଏମ୍‌ଟି)କୁ ପରୀକ୍ଷା ପାଇଁ ପଠାଯାଇଛି। ଏପରି କି ପେସୋ କର୍ତ୍ତୃପକ୍ଷ କମିଶନରେଟ ପୋଲିସକୁ ଘଟଣାସ୍ଥଳର ସିସିଟିଭି ଫୁଟେଜ୍‌ ଦେବା ପାଇଁ ଅନୁରୋଧ କରିଛନ୍ତି। ସୀମାଞ୍ଚଳଙ୍କ ମୃତ୍ୟୁ ଘଟିଥିବା ଏବଂ ରିପୁଦମନ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବାରୁ ତଦନ୍ତକାରୀ ସଂସ୍ଥାଗୁଡ଼ିକ ପ୍ରକୃତ ସତ୍ୟ ଜାଣିପାରୁ ନାହାନ୍ତି।

Share