ପେଟ୍ରୋଲ ପମ୍ପ ବିସ୍ଫୋରଣ: ମାସେ ପରେ ବି ଆସୁନି ସତ

ଭୁବନେଶ୍ୱର,୮ା୧୧(ବ୍ୟୁରୋ): ରାଜଭବନ ନିକଟ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାକୁ ଇତିମଧ୍ୟରେ ମାସେ ପୂରିଛି। ହେଲେ ଏଯାଏ ଏହି ଲୋମଟାଙ୍କୁରା ଘଟଣାର କାରଣ ଅସ୍ପଷ୍ଟ ରହିଥିବାବେଳେ ଚାଲିଥିବା ତଦନ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତ ଅକ୍ଟୋବର ୭ ମଧ୍ୟାହ୍ନରେ ପେଟ୍ରୋଲ ପମ୍ପ୍‌ର ସିଏନ୍‌ଜି ୟୁନିଟ୍‌ରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ୨ ଜଣଙ୍କ ଜୀବନ ଯାଇଥିବାବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏଥିସହ ଉକ୍ତ ୟୁନିଟ୍‌ ଧ୍ୱଂସ ହୋଇଯାଇଥିବାବେଳେ ସମେତ ପେଟ୍ରୋଲ ପମ୍ପ୍‌, ସେଠାରେ ଥିବା ଗାଡ଼ି, ଆଖପାଖ ଘର ଓ ଦୋକାନ କ୍ଷତିଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳ ଓ ଚାରିପାଖରେ ମାଂସ, ହାଡ ଛିନ୍‌ଛତର ହୋଇପଡିଥିବାରୁ ଏଥିରେ ଏକାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଥିଲା। ପ୍ରଥମେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କର୍ମଚାରୀଙ୍କର ମୃତ୍ୟୁ ଘଟିଥିଲା। ପରବର୍ତ୍ତୀ ସମୟରେ ଜବତ ମାଂସ ଓ ହାଡ଼ କାର୍ଯ୍ୟରତ କର୍ମଚାରୀ ତଥା ଇଞ୍ଜିନିୟର ସୀମାଞ୍ଚଳ ପରିଡ଼ାଙ୍କର ବୋଲି ଡିଏନ୍‌ଏ ଟେଷ୍ଟ୍‌ରୁ ଜଣାପଡିଥିଲା। ତେବେ କେଉଁ କାରଣରୁ ଓ କାହାର ଅବହେଳାରୁ ଏପରି ଭୟଙ୍କର ବିସ୍ଫୋରଣ ଘଟି ଏକାଧିକ ଜୀବନ ଗଲା ଏବଂ ଘଟଣାସ୍ଥଳରେ କେତେଜଣ କର୍ମଚାରୀ ଉପସ୍ଥିତ ଥିଲେ ତାହା ଏଯାଏ ପଦାକୁ ଆସିଲା ନାହିଁ। ଘଟଣା ସମୟର ସମସ୍ତ ତଥ୍ୟ ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି କ୍ୟାମେରାର ହାର୍ଡଡିସ୍କରେ ରହିଛି। ଏହାର କପି ବରିଷ୍ଠ ପୋଲିସ ଅଧିକାରୀଙ୍କ ପାଖକୁ ପଠାଯାଇଛି। ସାଇଣ୍ଟିଫିକ ଟିମ୍‌ ଓ ଏକ୍ସପ୍ଲୋସିଭ ଡିପାର୍ଟମେଣ୍ଟ ପକ୍ଷରୁ ମିଳିଥିବା ତଥ୍ୟ ଆଧାରରେ କମିଶନରେଟ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଥିବାରୁ ଏହାକୁ ସହରବାସୀ ସହଜରେ ଗ୍ରହଣ କରୁନାହାନ୍ତି। ତେଣୁ କେତେକ ସଂଗଠନ ଘଟଣାର ସିବିଆଇ ତଦନ୍ତ ଦାବି କରୁଛନ୍ତି। ତେଣୁ ଖାକିରୁ ଦାଗ ହଟାଇବା ପାଇଁ କମିଶନରେଟ ପୋଲିସ ଉକ୍ତ ବିସ୍ଫୋରଣର ସତ୍ୟ ସାମ୍ନାକୁ ଆଣି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Share