Categories: ଜାତୀୟ

ତେଲ ଭରିବା ସମୟରେ କାର୍‌ରେ ଲାଗିଲା ନିଆଁ, ହିରୋ ସାଜି ଲୋକଙ୍କ ଜୀବନ ବଞ୍ଚାଇଲେ ଏହି ଯୁବକ; ଛୁଟୁଛି ପ୍ରଶଂସାର ସୁଅ

ଭୋପାଳ,୨୧ା୧୦: ମଧ୍ୟପ୍ରଦେଶର ବାଲାଘାଟରେ ଜଣେ ଯୁବକଙ୍କ ଦୁଃସାହସିକ ସାହସ ଯୋଗୁ ଏକ ବଡ଼ ଧରଣର ବିପଦ ଟଳି ଯାଇଛି। ବାଲାଘାଟ ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପରେ ତେଲ ଭରୁଥିବା ସମୟରେ ଏକ କାର୍‌ରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା। ଏହା ଦେଖି ଜଣେ ଯୁବକ ଘଟଣାସ୍ଥଳରେ ପହଞ୍ଚି କାର୍‌କୁ ଏକ ଶକ୍ତ ଧକ୍କା ମାରି ପେଟ୍ରୋଲ ପମ୍ପଠାରୁ ଦୂରକୁ ନେଇଯାଇଥିଲେ। ଫଳରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା।
ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କିଛି ୟୁଜର ଲୋକଙ୍କ ଜୀବନ ବଞ୍ଚାଇଥିବା ଯୁବକଙ୍କୁ ଧନ୍ୟବାଦ ଦେଇଛନ୍ତି। ମୁକେଶ ନାମକ ଏହି ସାହସୀ ଯୁବକ ଜଣକ ନିଜ ଦୋକାନରେ କାମ କରୁଥିଲେ। କାର୍‌ରେ ନିଆଁ ଲାଗିବା ଦେଖି ସେ ଧାଇଁ ଆସିଥିଲେ ପେଟ୍ରୋଲ ପମ୍ପ୍‌ ନିକଟକୁ। ସେଠାରେ ପହଞ୍ଚି କାର୍‌କୁ ଏମିତି ଏକ ଧକ୍କା ଦେଇଥିଲେ ଯେ, କାର୍‌ଟି କିଛି ଦୂରକୁ ଗଡ଼ି ଯାଇଥିଲା। ଫଳରେ ଲୋକେ ବର୍ତ୍ତି ଯାଇଥିଲେ। ଏବେ ଏହି ଯୁବକଙ୍କ ନିକଟକୁ ପ୍ରଶଂସାର ଛୁଅ ଛୁଟୁଛି।

Share