Categories: ଜାତୀୟ

ଗ୍ରାହକଙ୍କୁ ଠକୁଛନ୍ତି ପେଟ୍ରୋଲ ପମ୍ପ

ନୂଆଦିଲ୍ଲୀ,୧୨।୨:ଦେଶ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତର ବଢ଼ିଚାଲିଛି। ଏବେ ଇନ୍ଧନ ଦର ସର୍ବୋଚ୍ଚ ସ୍ତରରେ ରହିଛି। ଏଭଳି ସ୍ଥିତିରେ କମ୍ପଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ(ସିଏଜି) ଦେଶର ତୈଳ କମ୍ପାନୀଗୁଡ଼ିକର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପେଟ୍ରୋଲ ଏବଂ ଡିଜେଲର ଦୈନିକ ମୂଲ୍ୟ ପରିବର୍ତ୍ତନ ବ୍ୟବସ୍ଥାରେ ବିଭିନ୍ନ ସମସ୍ୟା ରହିଛି। ପେଟ୍ରୋଲ ପମ୍ପଗୁଡ଼ିକ ଗ୍ରାହକଙ୍କଠାରୁ ଓଭର ଚାର୍ଜ ବା ଅଧିକ ଅର୍ଥ ନେଉଥିବା ସିଏଜି ରିପୋର୍ଟରେ ପ୍ରକାଶ ପାଇଛି। ସିଏଜିଙ୍କ ଅଡିଟରେ ୩,୪୬୩ ଏଭଳି ଘଟଣା ସାମ୍ନାକୁ ଆସିଥିବା ଦର୍ଶାଯାଇଛି। ଅଡିଟ୍‌ରେ ସାମିଲ ରହିଥିବା ୧୮୮ ଫିଲିଂ ଷ୍ଟେଶନ ମଧ୍ୟରୁ ୯୧ଟିରେ ଡିଲର ଧାର୍ଯ୍ୟ ସମୟରେ ତେଲ ଦର ପରିବର୍ତ୍ତନ କରିନାହାନ୍ତି। ଫଳରେ ଲୋକମାନଙ୍କୁ ଅଧିକ ଅର୍ଥ ଦେବାକୁ ପଡ଼ିଛି। ଉଲ୍ଲେଖଯୋଗ୍ୟ, ପ୍ରତିଦିନ ସକାଳ ୬ଟାରେ ଇନ୍ଧନ ଦର ପରିବର୍ତ୍ତନ କରିବାର ନିୟମ ରହିଛି।

ପେଟ୍ରୋଲ, ଡିଜେଲ ପ୍ରାଇସିଂ ସିଷ୍ଟମ ବର୍ତ୍ତମାନ ଯାଏ ଠିକ୍‌ ହୋଇପାରିନାହିଁ। ଡିଲରଙ୍କ ମଧ୍ୟରେ ମନୋବୃତ୍ତି, ସଂଯୋଗ ବ୍ୟବସ୍ଥାର ଅଭାବ ଏବଂ ଅଟୋମେଶନରେ ଅସୁବିଧା ଭଳି ସମସ୍ୟା ଯୋଗୁ ଏଭଳି ସ୍ଥିତି ଦେଖାଯାଉଛି। ୨୦୧୪-୧୫ ରୁ ୨୦୧୭-୧୮ ଅବଧିକୁ ଅଡିଟରେ ସାମିଲ କରାଯାଇଛି। ଫେବୃୟାରୀ ୯ରେ ପାର୍ଲାମେଣ୍ଟରେ ସିଏଜିଙ୍କ ରିପୋର୍ଟ ନମ୍ବର ୧୮କୁ ଉପସ୍ଥାପନ କରାଯାଇଥିଲା। ଇଣ୍ଡିଆନ ଅଏଲର ୪୦, ହିନ୍ଦୁସ୍ଥାନ ପେଟ୍ରୋଲିୟମର ୩୫ ଏବଂ ଭାରତ ପେଟ୍ରୋଲିୟମର ୧୬ ପେଟ୍ରୋଲ ପମ୍ପ୍‌ରେ ଗ୍ରାହକଙ୍କଠାରୁ ଏଭଳି ଅଧିକ ଚାର୍ଜ ନିଆଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ସକାଳ ୬ଟା ପରେ ଦରରେ ପରିବର୍ତ୍ତନ କରିବାର ନିୟମ ରହିଥିଲେ ମଧ୍ୟ ଏହାର ୯ ଘଣ୍ଟା ପୂର୍ବରୁ ଏବଂ ସକାଳ ୬ର ୧୮ ଘଣ୍ଟା ପରେ ଦର ପରିବର୍ତ୍ତନ କରାଯାଇଛି।

ଏହାକୁ ନଜରରେ ରଖିଲେ ଗ୍ରାହକଙ୍କଠାରୁ ଓଭର ଚାର୍ଜିଂ ଭଳି ଘଟଣାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ସିଏଜି କହିଛନ୍ତି। ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସାରା ଦେଶରେ ୫୫,୦୧୩ ରିଟେଲ ଫୁଏଲ ଆଉଟଲେଟ ରହିଛି। ଅଡିଟ୍‌ରେ ସାମିଲ ରହିଥିବା ୧୮୮ ଷ୍ଟେଶନ ମଧ୍ୟରୁ ୬୧ ଅଟୋମେଟେଡ୍‌ ଏବଂ ୧୨୭ ଅଣ ଅଟୋମେଟେଡ୍‌ ଫୁଏଲ ଷ୍ଟେଶନ ରହିଛି। ଦୈନିକ ତୈଳ ଦର ପରିବର୍ତ୍ତନ କରିବା

ନିୟମ ୨୦୧୭ ଜୁନ୍‌ରେ ଲାଗୁ କରାଯାଇଥିଲା। ସେହି ସମୟରେ ମୋଟ ୪୩% ରିଟେଲ ଆଉଟଲେଟ ଅଟୋମେଟେଡ୍‌ ହୋଇଥିଲା। ଏହାକୁ ଦେଖିଲେ ତେଲ କମ୍ପାନୀଗୁଡିକର ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇନାହିଁ। ୨୦୧୮ ଡିସେମ୍ବର ଯାଏ ସବୁ ରିଟେଲ ଆଉଟଲେଟକୁ ଅଟୋମେଟେଡ୍‌ କରାଯିବା ଯୋଜନା ରଖାଯାଇଥିଲା। ଏହି ଅବଧିରେ ୧୪୮୭ କୋଟି ଟଙ୍କା ଖର୍ଚ୍ଚ କରାଯିବା ସହ ୮୦% ଆଉଟଲେଟକୁ ଅଟୋମେଟିକ କରାଯାଇଛି। ଫୁଏଲ ଷ୍ଟେଶନଗୁଡିକରେ ଗ୍ରାହକଙ୍କଠାରୁ ଏଭଳି ଉପାୟରେ ଓଭରଚାର୍ଜିଂ କରାଯାଉଥିବା ତେଲ କମ୍ପାନୀଗୁଡିକ ମାନିଥିବା ରିପୋର୍ଟରେ ପ୍ରକାଶ ପାଇଛି।

Share