କେନ୍ଦୁଝର,୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାରତୀୟ ଜାତୀୟ ରାଜପଥ ପ୍ରାଧୀକରଣ (ଏନ୍ଏଚ୍ଏଆଇ) ପକ୍ଷରୁ ଜାରି କରାଯାଇଥିବା ଗାଇଡ୍ଲାଇନ୍କୁ କେନ୍ଦୁଝର ଜିଲାରେ ଅନେକ ପେଟ୍ରୋଲ ପମ୍ପ୍ ମାଲିକ ମାନୁନାହାନ୍ତି। ଫଳରେ ଏନ୍ଏଚ୍ରେ ଟ୍ରାଫିକ ଜାମ୍ ଓ ଦୁର୍ଘଟଣା ବଢୁଥିବା ଅଭିଯୋଗ ହେଉଛି। ଏନ୍ଓସି ନ ଥାଇ ପେଟ୍ରୋଲ ପମ୍ପ ଚଲାଉଥିବା ଜଣାପଡ଼ିବା ପରେ ଯୋଗାଣ ବିଭାଗ ପକ୍ଷରୁ ୨୨ ପେଟ୍ରୋଲ ପମ୍ପ୍ ମାଲିକଙ୍କୁ ନୋଟିସ୍ କରାଯାଇଛି। ଯଦି ୭ ଦିନ ମଧ୍ୟରେ ଏନ୍ଏଚ୍ଏଆଇରୁ ଏନ୍ଓସି ନ ଆଣନ୍ତି ତେବେ ସେମାନଙ୍କ ଲାଇସେନ୍ସ ବାତିଲ କରାଯିବ ବୋଲି ନୋଟିସ୍ରେ ଦର୍ଶାଯାଇଛି। ତେବେ ଏତେଦିନ ଧରି କିଭଳି ବେଆଇନ ଭାବରେ ଏହି ସବୁ ପେଟ୍ରୋଲ ପମ୍ପ୍ ଚାଲୁଥିଲା ସେନେଇ ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି।