ପେଟ୍ରୋଲ ଟାଙ୍କି ବିସ୍ଫୋରଣ ଘଟଣା: ଫୋରେନ୍‌ସିକ ଲାବ୍‌କୁ ଗଲା ସିସିଟିଭି ହାର୍ଡ ଡିକ୍ସ

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ):ରାଜଭବନ ପେଟ୍ରୋଲ ଟାଙ୍କି ବିସ୍ଫୋରଣ ଘଟଣାକୁ ଆଜିକୁ ୮ ଦିନ ବିତିଲାଣି। ଏଯାବତ୍‌ ନିଖୋଜ ସୀମାଞ୍ଚଳ ପରିଡ଼ାଙ୍କ ବିଷୟରେ ପୋଲିସ କିଛିବି ସୂଚନା ଦେଉ ନାହିଁ। ସୀମାଞ୍ଚଳଙ୍କ ପରିବାର ଲୋକେ ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରୁ ନ ଥିବା ଅଭିଯୋଗ ହୋଇଛି। ଘଟଣା ପରଦିନ ଏକ ସାଦା କାଗଜରେ ପରିବାର ଲୋକଙ୍କ ଦସ୍ତଖତ ନେଇ ପୋଲିସ ବସି ପଡ଼ିଛି। ସୀମାଞ୍ଚଳ ଜୀବିତ କି ମୃତ ସେନେଇ ସ୍ପଷ୍ଟ କରୁନାହାନ୍ତି। ଏପରି କି ଡିଏନ୍‌ଏ ପରୀକ୍ଷା ପାଇଁ ତାଙ୍କ ବାପା କିମ୍ବା ମା’ଙ୍କ ନମୁନା ନେଉ ନାହାନ୍ତି। ପରିବାର ଲୋକେ ଫୋନ୍‌ କଲେ ପୋଲିସ ବୁଝାଇ ଦେଇ ଫୋନ୍‌ କାଟି ଦେଉଥିବା ସୀମାଞ୍ଚଳଙ୍କ ସମ୍ପକୀୟ ଦୁର୍ଗା ପ୍ରସାଦ ଜେନା କହିଛନ୍ତି। ପୋଲିସ ଅଭିଯୋଗ ନେଉ ନ ଥିବାରୁ ସୀମାଞ୍ଚଳଙ୍କ ମା’ ବୁଧବାର ସିପିଙ୍କୁ ଭେଟିବାକୁ ଆସିବେ। ଏଥିସହ ଆଇଓସିଏଲ୍‌ ଅଧିକାରୀଙ୍କୁ ମଧ୍ୟ ଭେଟିବେ। ଯଦି ତାଙ୍କୁ ନ୍ୟାୟ ନ ମିଳେ ତେବେ ପରିବାର ଲୋକେ ସିପି ଏବଂ ଆଇଓସିଏଲ୍‌ ଅଫିସ ଆଗରେ ଧାରଣାରେ ବସିବେ ବୋଲି ଦୁର୍ଗା କହିଛନ୍ତି।
ଅନ୍ୟପକ୍ଷରେ ପେଟ୍ରୋଲ ଟାଙ୍କିରେ ଲାଗିଥିବା ସିସିଟିଭି ଫୁଟେଜର ହାର୍ଡ ଡିକ୍ସକୁ ପୋଲିସ ମଙ୍ଗଳବାର ରାଜ୍ୟ ଫୋରେନ୍‌ସିକ ଲାବ୍‌କୁ ପଠାଇଛି। ବିସ୍ଫୋରଣ ସମୟରେ ଫୁଟେଜରେ ଉତ୍ତୋଳିତ ହୋଇଥିବା ଭିଡିିଓ ଠିକ୍‌ ଅଛି କି ନାହିଁ, ଏଥିରେ କୌଣସି ପ୍ରକାର ଏଡିଟ୍‌ କରାଯାଇଛି କି , ବିସ୍ଫୋରଣ ସମୟ ଅନୁସାରେ ଫୁଟେଜରେ ଉତ୍ତୋଳନ ହୋଇଥିବା ଛବି ମଧ୍ୟରେ ସାମଞ୍ଜସ୍ୟ ରହିଛି କି ନାହିଁ ସେନେଇ ଫୋରେନ୍‌ସିକ୍‌ ଲାବ୍‌ ଅଧିକାରୀମାନେ ରିପୋର୍ଟ ଦେବେ। ପୋଲିସ ଏହି ରିପୋର୍ଟ ପାଇବା ପରେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରିବ। ଅପରପକ୍ଷରେ ଏହି ମାମଲାକୁ ଚାପି ଦେବାକୁ ପାଇଁ ଉପରସ୍ତରରେ ଏକ ଯୋଜନା ହୋଇଥିବା ଅଭିଯୋଗ ହେଉଛି। କାରଣ ଉକ୍ତ ପେଟ୍ରୋଲ ଟାଙ୍କିର କାଗଜପତ୍ର ଠିକ୍‌ ଥିଲା କି ନାହିଁ ସେନେଇ ଆଇଓସିଏଲ ପକ୍ଷରୁ କିଛିବି କୁହାଯାଉନାହିଁ। ଏପରିକି ଆଇଓସିଏଲ ପକ୍ଷରୁ ପେଟ୍ରୋଲ ପମ୍ପକୁ ନିୟମିତ ଭାବେ ଯାଞ୍ଚ କରାଯାଉଥିଲା କି ନାହିଁ ତାକୁ ନେଇ ଏବେ ଭିନ୍ନ ପ୍ରଶ୍ନ ଉଠୁଛି। ଏତେ ବଡ଼ ବିସ୍ଫୋରଣ ଘଟିଥିଲେ ମଧ୍ୟ ଆଇଓସିଏଲ୍‌ର ଅଧିକାରୀ ଏନେଇ କିଛି ପ୍ରତିକ୍ରିୟା ଦେଉନାହାନ୍ତି। କେବଳ ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କରି ଆଇଓସିଏଲ ବସିପଡ଼ିଥିବା ଅଭିଯୋଗ ହେଉଛି। ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ, ସିସିଟିଭି ଫୁଟେଜର ହାର୍ଡ ଡିକ୍ସ ଫୋରେନ୍‌ସିକ ଲାବକୁ ପଠାଯାଇଛି। ଏହାସହ ପୋଲିସ ସବୁ ଦିଗକୁ ନେଇ ତଦନ୍ତ କରୁଛି।

Share