କେନ୍ଦୁଝର, ୨୫।୪ (ସ୍ବ.ପ୍ର.): ଥଣ୍ଡା ପରିବେଶ ପାଇଁ ପ୍ରସିଦ୍ଧି ଲାଭ କରିଥିବା କେନ୍ଦୁଝର ଜିଲାରେ ଗତ କିଛି ବର୍ଷ ହେଲା ବ୍ୟାପକ ଜଙ୍ଗଲ କ୍ଷୟ ଓ ବହୁ ମାତ୍ରାରେ କଙ୍କ୍ରିଟ ଜଙ୍ଗଲ ସୃଷ୍ଟି ଯୋଗୁ ଏହାର ପୁରୁଣା ଗୌରବ ହ୍ରାସ ପାଇବାକୁ ବସିଛି। ଚଳିତ ବର୍ଷ ଜିଲାରେ ଗରମ ପୂର୍ବ ବର୍ଷ ଅପେକ୍ଷା ଅଧିକ ଅନୁଭୂତ ହେଉଛି। ମାର୍ଚ୍ଚ ମାସରୁ ଗରମ ଅନୁଭୂତ ହେଉଥିବା ବେଳେ ଗତ କିଛି ଦିନ ହେଲା କେନ୍ଦୁଝରର ତାପମାତ୍ରା ୪୦ ଡିଗ୍ରି ଟପିଯାଇ ୪୧ ଡିଗ୍ରୀରେ ପହଞ୍ଚିଛି। ପ୍ରବଳ ଗରମ ଯୋଗୁ ଦିନ ବେଳା ଲୋକ ମାନେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି।
ଗଛ କଟା ଯାଇ ରାସ୍ତା, ସ୍କୁଲ, ଘରବାଡି ଆଦି ନିର୍ମାଣ କରାଯାଉଥିବାବେଳେ ସହରରେ ବୃକ୍ଷରୋପଣ କରାଯାଉ ନ ଥିବାରୁ ଛାଇ ଟିକେ ପାଇଁ ଲୋକମାନଙ୍କୁ ଏଣେତେଣେ ବୁଲିବାକୁ ପଡୁଛି। ବହୁ ସଂଖ୍ୟାରେ କୋଠାବାଡି ନିର୍ମାଣ ଯୋଗୁ ରାତିରେ ଏସବୁରୁ ବିକିରଣ ହେଉଥିବା ଉତ୍ତାପ ରାତିରେ ମଧ୍ୟ ବାୟୁମଣ୍ଡଳକୁ ଗରମ କରିଦେଉଥିବାରୁ ଲୋକେ ଗରମରେ ଶୋଇ ପାରୁନାହାନ୍ତି। ଏଭଳି ପରିସ୍ଥିତିରେ ଏବେ ଚାଲିଥିବା ପେଭର ବ୍ଲକ ବ୍ୟବହାର କରି ରାସ୍ତା ନିର୍ମାଣ ପରିବେଶକୁ ଅଧିକ ଉତ୍ତପ୍ତ କରିଦେଉଛି ବୋଲି ମତପ୍ରକାଶ ପାଉଛି।
ପ୍ରକାଶ ଯେ, ଗତ ଦୁଇ ବର୍ଷ ହେଲା କେନ୍ଦୁଝର ସହରର ବିଭିନ୍ନ ଓ୍ବାର୍ଡର ରାସ୍ତାଘାଟ, ପୋଖରୀ ଆଦିର ଉନ୍ନତିକରଣ ବହୁ ମାତ୍ରାରେ ପେଭର ବ୍ଲକ ବିଛାଇ କରାଯାଉଥିବାରୁ ଖରାରେ ଏବୁ ତାତି ପରିବେଶକୁ ଅଧିକ ଉତ୍ତପ୍ତ କରିଦେଉଛି। ମାଟି ଉପରେ ବାଲି ବା କ୍ରସର ଗୁଣ୍ଡ ବିଛାଇ ପେଭର ବିଛାଯାଉଛି ା ସୂର୍ଯ୍ୟତାପ ମାଟିରେ ପଡ଼ି ପାରୁ ନ ଥିବାବେଳେ ପେଭର ବ୍ଲକରେ ପଡୁଛି ା ଫଳରେ ସେସବୁ ତାତି ଯାଉଥିବାରୁ ଚାରିଆଡେ ଗରମ ପରିବେଶ ସୃଷ୍ଟି କରୁଛି ବୋଲି ବରିଷ୍ଠ ନାଗରିକ ଅଲେଖ ଚନ୍ଦ୍ର ପାତ୍ର କହିଛନ୍ତି। ଏସବୁରୁ ଗରମ ଉତ୍ତାପ ବାୟୁମଣ୍ଡଳକୁ ଅଧିକ ଉତ୍ତପ୍ତ କରିଦେଉଥିବା ବେଳେ ରାତିରେ ସେଥିରୁ ଗରମ ଉତ୍ତାପ ବିକିରଣ ହୋଇଥାଏ। ବୃକ୍ଷରୋପଣ ହେଉ ନ ଥିବାରୁ ଛାଇ ମିଳୁନାହିଁ ା ଏଣୁ ଏନେଇ ପ୍ରତିକାର କରିବା ପାଇଁ ଦାବି ହେଉଛି। ରାସ୍ତାକଡ଼ରେ ବୃକ୍ଷରୋପଣ ପରେ ପେଭର ବ୍ଲକ ଲଗାଗଲେ ଏହା ଉପରେ ସିଧାସଳଖ ସୂର୍ଯ୍ୟତାପ ପଡିବ ନାହିଁ। ଫଳରେ ପେଭର ବ୍ଲକ ତାତିବ ନାହିଁ ଏବଂ ରାସ୍ତା ଉନ୍ନତି ହୋଇପାରିବ ବୋଲି ବରିଷ୍ଠ ନାଗରିକ ବିଭୂତି ପଟ୍ଟନାୟକ କହିଛନ୍ତି।