ନୂଆଦିଲ୍ଲୀ,୨୪ା୯: ଇସ୍ଲାମୀୟ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) କର୍ନାଟକରେ ବ୍ୟାନ୍ର ସମ୍ମୁଖୀନ ହୋଇଛି। ଗୁରୁବାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ୧୧ଟି ରାଜ୍ୟରେ ଚଢ଼ାଉ କରି ପିଏଫ୍ଆଇ ନେତାଙ୍କ ସମେତ ୧୦୬ ଜଣଙ୍କୁ ଗିରଫ କରିଥିଲା। ଏହି ଚଢ଼ାଉ ବିରୋଧରେ ପିଏଫ୍ଆଇ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିବାବେଳେ କେରଳ ହାଇକୋର୍ଟ ନିଜ ଆଡ଼ୁ ମାମଲା ଶୁଣାଣି ପାଇଁ ଗ୍ରହଣ କରିଥିଲେ। ବନ୍ଦକୁ ପୂର୍ବରୁ ବେଆଇନ ଘୋଷଣା କରାଯାଇଥିବାରୁ ନିର୍ଦ୍ଦେଶନାମାର ଉଲ୍ଲଂଘନ କରୁଥିବା ପିଏଫ୍ଆଇ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୭ ଦିନ ପୂର୍ବରୁ ନୋଟିସ ନ ଦେଇ ରାଜ୍ୟରେ ପ୍ରତିବାଦ ବନ୍ଦ ଡାକରା ଦିଆଯାଇପାରିବ ନାହିଁ ବୋଲି ଗତ ଜାନୁୟାରୀରେ କେରଳ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କର୍ନାଟକରେ ପିଏଫ୍ଆଇକୁ ନିଷେଧ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିବା ରାଜ୍ୟ ଗୃହମନ୍ତ୍ରୀ ଅରଗ ଜ୍ଞାନେନ୍ଦ୍ର କହିଛନ୍ତି।