ପଞ୍ଜାବ ପରେ ଏହି ରାଜ୍ୟକୁ ଟିକା ଯୋଗାଇବାକୁ ମନା କଲା ଫାଇଜର-ମର୍ଡନା

ନୂଆଦିଲ୍ଲୀ,୨୪।୫: ଦେଶର କେତେକ ରାଜ୍ୟରେ କରୋନା ଗ୍ରାଫ୍‌ ଉପରମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତିରେ କରୋନା ସହ ମୁକାବିଲା ପାଇଁ ଭାକ୍ସିନକୁ ସରକାର ଅସ୍ତ୍ର କରିଛନ୍ତି। ଇତିମଧ୍ୟରେ ଦେଶରେ ଟିକାକରଣ ଲାଗି ଭାକ୍ସିନର ଅଭାବ ଦେଖାଦେଇଛି। ଫଳରେ ବିଭିନ୍ନ ରାଜ୍ୟ ସରକାର ବିଦେଶରୁ ସିଧାସଳଖ ଟିକା କିଣିବା ପାଇଁ ଯୋଜନା କରିବା ସହ କେତେକ ରାଜ୍ୟ ବିଶ୍ୱସ୍ତରୀୟ ଟେଣ୍ଡର ମଧ୍ୟ ଆହ୍ବାନ କରିଥିଲେ। ତେବେ ରାଜ୍ୟକୁ ଟିକା ଯୋଗାଇବା ପ୍ରସ୍ତାବକୁ ଆମେରିକା ଔଷଧ କମ୍ପାନୀ ମଡର୍ନା ଓ ଫାଇଜର ମନା କରିଦେଇଥିବା ଜଣାପଡ଼ିଛି। ପଞ୍ଜାବ ପରେ ଏବେ ଦିଲ୍ଲୀ ସରକାରଙ୍କୁ ମଧ୍ୟ ମର୍ଡନା ଓ ଫାଇଜର କମ୍ପାନୀ ଟିକା ଯୋଗଇଦେବାକୁ ମନା କରିଦେଇଛି। ଏନେଇ ସୋମବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୂଚନା ଦେଇଛନ୍ତି। ବିଭିନ୍ନ ବିଦେଶୀ କମ୍ପାନୀଠାରୁ ଟିକା କିଣିବା ପାଇଁ ଦିଲ୍ଲୀ ସରକାର ଯୋଗାଯୋଗ କରିଥିଲେ। ହେଲେ କମ୍ପାନୀର ନୀତି ଅନୁଯାୟୀ, ଏହା କେବଳ ଭାରତ ସରକାରଙ୍କ ସହ ଟିକା ସମ୍ପର୍କରେ ଡିଲ୍‌ କରାଯିବ। ରାଜ୍ୟ ସରକାରଙ୍କ ସହ ନୁହେଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏଭଳି ସ୍ଥିତିରେ ଟିକା ଆମଦାନୀ କରାଯାଇ ଶୀଘ୍ର ରାଜ୍ୟକୁ ବଣ୍ଟନ କରାଯାଉ ବୋଲି କେଜରିଓ୍ବାଲ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ପୂର୍ବରୁ ଆମେ ବହୁ ସମୟ ହରାଇ ସାରିଛୁ, ଏବେ ବିଳମ୍ବ କରିବା ଅତ୍ୟନ୍ତ ବିପଦଜ୍ଜନକ ହୋଇପାରେ ବୋଲି କେଜରିଓ୍ବାଲ କହିଛନ୍ତି।

Share