ଓ୍ବାଶିଂଟନ/ମେକ୍ସିକୋ ସିଟି, ୧୩।୧୨:ଫାଇଜର ଟିକାର ଜରୁରୀ ବ୍ୟବହାର ଲାଗି ଆମେରିକା ଚୂଡ଼ାନ୍ତ ମଞ୍ଜୁରୀ ପ୍ରଦାନ କରିଛି। କରୋନା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ଏହି ଦେଶରେ ଖୁବ୍ଶୀଘ୍ର ଟିକାର ପ୍ରଥମ ଡୋଜ୍ ପ୍ରଦାନ କରାଯିବ। ଆମେରିକାର ଫାଇଜର ଏବଂ ଜର୍ମାନ ସହଯୋଗୀ ବାୟୋଏନ୍ଟେକ୍ ଦ୍ୱାରା ପ୍ରସ୍ତୁତ ଟିକାକୁ ଦେଶର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫଡିଏ) ଜରୁରୀ ବ୍ୟବହାର ପାଇଁ ସ୍ବୀକୃତି ପ୍ରଦାନ କରିଛି।
ସେହିପରି ମେକ୍ସିକୋ ସରକାର ଉକ୍ତ ଟିକାକୁ ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି। ଫାଇଜରକୁ ଅନୁମତି ଦେବାରେ ମେକ୍ସିକୋ ଚତୁର୍ଥ ରାଷ୍ଟ୍ର। ପୂର୍ବରୁ ବ୍ରିଟେନ, କାନାଡା ଓ ବାହାରିନ୍ ଏହି ଟିକାକୁ ବ୍ୟବହାର ଲାଗି ଅନୁମତି ପ୍ରଦାନ କରିଥିଲେ। ମେକ୍ସିକୋକୁ ୨.୫୦ ଲକ୍ଷ ଫାଇଜର ଟିକା ଯୋଗାଇଦିଆଯିବ, ଯାହା ଏହାର ୧,୨୫,୦୦୦ ଲୋକଙ୍କ ପାଇଁ ଯଥେଷ୍ଟ। ଆଗଧାଡ଼ିର କର୍ମଚାରୀମାନଙ୍କୁ ପ୍ରଥମେ ଟିକା ଦିଆଯିବ ବୋଲି ସେଠାର ସହକାରୀ ସ୍ବାସ୍ଥ୍ୟ ସଚିବ ଗାଟେଲ କହିଛନ୍ତି।