ଫାଇଜର କୋଭିଡ୍‌ ଟିକା ୯୦% ପ୍ରଭାବୀ

ନୂଆଦିଲ୍ଲୀ, ୧୦।୧୧: ଆମେରିକୀୟ ଫାର୍ମା କମ୍ପାନୀ ଫାଇଜର ଏବଂ ଜର୍ମାନ ସହଯୋଗୀ ବାୟୋଏନ୍‌ଟେକ୍‌ ମିଳିତ ଭାବେ ପ୍ରସ୍ତୁତ କରିଥିବା କୋଭିଡ୍‌-୧୯ ଟିକା ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ପ୍ରଭାବ ପକାଉଥିବା ସାବ୍ୟସ୍ତ ହୋଇଛି। ସୋମବାର ଫାଇଜର ପକ୍ଷରୁ ଏହା ଘୋଷଣା କରାଯାଇଛି। ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ କରୋନା ରୋଗୀଙ୍କଠାରେ ପ୍ରଥମ ଡୋଜ୍‌ ଟିକା ଦିଆଯିବାର ୨୮ ଦିନ ଏବଂ ଦ୍ୱିତୀୟ ଡୋଜ୍‌ର ୭ ଦିନ ପରେ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଥାଏ। ତୃତୀୟ ପର୍ଯ୍ୟାୟ ପରୀକ୍ଷାର ପ୍ରଥମ ଫଳାଫଳରୁ ତାହା ଜଣାପଡ଼ିଥିବା ଫାଇଜର୍‌ର ଅଧ୍ୟକ୍ଷ ତଥା ସିଇଓ ଆଲବର୍ଟ ବୋର୍ଲା କହିଛନ୍ତି। ବିଶ୍ୱରେ ଦେଖାଦେଇଥିବା ସ୍ବାସ୍ଥ୍ୟ ସଙ୍କଟ ଦୂର ଲାଗି ଟିକା ଆଣିବାରେ ଆମେ ସଫଳତାର ନିକଟବର୍ତ୍ତୀ ହୋଇଛୁ ବୋଲି ସେ ଦାବି କରିଛନ୍ତି। ଯେତେବେଳେ ସମଗ୍ର ପୃଥିବୀ ସ୍ବାସ୍ଥ୍ୟଜନିତ ସମସ୍ୟାରେ ପଡ଼ିଛି, ସେତେବେଳେ ଆମର ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ପ୍ରତିଷ୍ଠା କରିବା ଦିଗରେ ଅଗ୍ରସର ହୋଇଛି। ଚାରିଆଡ଼େ କୋଭିଡ୍‌-୧୯ ସଂକ୍ରମଣ ହାର ରେକର୍ଡ ଛୁଇଁବା ସହ ଡାକ୍ତରଖାନାଗୁଡ଼ିକର ଆଇସିୟୁ ରୋଗୀଙ୍କ ଦ୍ୱାରା ଭର୍ତ୍ତି ହେବା ଓ ମୃତ୍ୟୁ ହାର ବୃଦ୍ଧି ପାଇବାରେ ଲାଗିଛି। ତେଣୁ କମ୍ପାନୀ ଚଳିତ ବର୍ଷ ଶେଷ ସୁଦ୍ଧା ୫ କୋଟି ଏବଂ ୨୦୨୧ ବେଳକୁ ୧୩୦ କୋଟି ଡୋଜ୍‌ ଟିକା ଯୋଗାଇଦେବା ଲାଗି ଆଶା ରଖିଛି।
ଆମେରିକାର ବାୟୋଟେକ୍‌ ଫାର୍ମ ମଡର୍ନା, ଚାଇନାର କେତେକ ସରକାରୀ ପରୀକ୍ଷାଗାର, ୟୁରୋପର ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନେକା ସଫଳ ଟିକା ବାହାର କରିବା ପାଇଁ ଜୋର୍‌ଦାର ପ୍ରସ୍ତୁତି ଚଳାଇଛନ୍ତି। ରୁଷିଆର ଦୁଇଟି ଟିକା କ୍ଲିନିକାଲ ପରୀକ୍ଷା ଶେଷ ହେବା ପୂର୍ବରୁ ବ୍ୟବହାର ଲାଗି ପଞ୍ଜୀକୃତ ହୋଇଥିଲେ ହେଁ ତାହା ଦେଶ ବାହାରେ ବିଶେଷ ଆଦୃତ ହୋଇନାହିଁ। ବିଏନ୍‌ଟି୧୬୨ବି୨ ଟିକା ଚୂଡାନ୍ତ ପର୍ଯ୍ୟାୟ ପରୀକ୍ଷା ଜୁଲାଇ ଶେଷ ଭାଗରେ ଆରମ୍ଭ ହୋଇଥିଲା। ସେଥିରେ ଭାଗନେବାକୁ ୪୩,୫୩୮ ଜଣ ପଞ୍ଜୀକୃତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ନଭେମ୍ବର ୮ ସୁଦ୍ଧା ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ଚୂଡ଼ାନ୍ତ ଡୋଜ୍‌ ପରେ ଫାଇଜର ଦୁଇମାସର ସୁରକ୍ଷାଜନିତ ତଥ୍ୟ ସଂଗ୍ରହ କରିଛି। ଆମେରିକାର ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡମିନିଷ୍ଟ୍ରେଶନର ଆବଶ୍ୟକତା ଅନୁଯାୟୀ ଏହି ଟିକା ସମସ୍ତ ନିୟମ ପୂରଣ କରିପାରିଲେ ନଭେମ୍ବର ତୃତୀୟ ସପ୍ତାହ ସୁଦ୍ଧା ବଜାରରେ ଏହା ଉପଲବ୍ଧ ହୋଇପାରିବ ବୋଲି ଆଶା କରାଯାଉଛି।

Share