ଖୁସି ଖବର: ବ୍ରିଟେନରେ ଦେଖାଦେଇଥିବା କରୋନା ନୂଆ ଷ୍ଟ୍ରେନ୍‌ରେ ବି କାମ କରିବ ଫାଇଜର ଟିକା

ଲଣ୍ଡନ,୮ ।୧: କରୋନା ଭ୍ୟାକ୍ସିନ ଓ ବ୍ରିଟେନରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନକୁ ନେଇ ଆଶ୍ୱସ୍ତି ଦେଲାଭଳି ଏକ ଖବର ସାମ୍ନାକୁ ଆସିଛି । କରୋନା ଟିକା ପ୍ରସ୍ତୁତକାରୀ କମ୍ପାନୀ ଫାଇଜର କହିଛି ସେ ପ୍ରସ୍ତୁତ କରିଥିବା ଭ୍ୟାକ୍ସିନ ବ୍ରିଟେନ ଓ ଦକ୍ଷିଣ ଆଫ୍ରିକାରେ ଦେଖା ଦେଇଥିବା କରୋନା ନୂଆ ଷ୍ଟ୍ରେନ୍ ଉପରେ ବି କାମ କରିବ । ଟେକ୍ସାସ ମେଡିକାଲ ବ୍ରାଞ୍ଚର ବୈଜ୍ଞାନିକ କହିଛନ୍ତି ଫାଇଜର କୋଭିଡ-୧୯ ଭ୍ୟାକ୍ସିନ ନୂଆ ଷ୍ଟ୍ରେନ ଉପରେ କାମ କରିବ । ଅତ୍ୟଧିକ ସଂକ୍ରମଣ ହେତୁ ଭାଇରସର ମ୍ୟୁଟେସନ ଦାୟୀ ହେବ । ତେବେ ବିଶେଷଜ୍ଞଙ୍କ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି କି ଫାଇଜର ଭ୍ୟାକ୍ସିନ କରୋନା ନୂଆ ଷ୍ଟ୍ରେନ୍ ଉପରେ ପ୍ରଭାବ ପକାଇବ । ଭ୍ୟାକ୍ସିନ ନେଇଥିବା ଲୋକଙ୍କ ରକ୍ତ ପରୀକ୍ଷା କରାଯାଇ ଏଭଳି ତଥ୍ୟ ମିଳିଥିବା କୁହାଯାଏ । ଜଣାପଡିଛି ଯେ କରୋନାର ନୂଆ ଷ୍ଟ୍ରେନରେ ୧୭ ପ୍ରକାର ପରିବର୍ତ୍ତନ ହୋଇଛି । ଏହାକୁ ଏଇଥିପାଇଁ ମାରାତ୍ମକ ବୋଲି କୁହାଯାଉଛି କାରଣ ଏହାର ୮ଟି ରୂପ ଜିନରେ ପ୍ରୋଟିନ ବୃଦ୍ଧି କରୁଛି ଯେଉଁଥିରୁ ୨ଟି ସବୁଠାରୁ ମାରାତ୍ମକ । ପ୍ରଥମ ନୂଆ ଷ୍ଟ୍ରେନର N501Y ରୂପ ଯାହା ଶରୀରର ସେଲ୍ ଉପରେ ପ୍ରଭାବ ପକାଉଛି, ଆଉ ଦ୍ୱିତୀୟ H69/V70 ରୂପ ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପକାଇଥାଏ ।

Share