ଦ ହେଗ (ନେଦରଲାଣ୍ଡ୍ସ),୨୮ା୫- ୧୨ରୁ ୧୫ ବର୍ଷର ପିଲାଙ୍କ ଠାରେ ଫାଇଜର/ବାୟୋଏନ୍ଟେକ୍ର କରୋନା ଭାଇରସ ଟିକାକୁ ବ୍ୟବହାର ଲାଗି ଶୁକ୍ରବାର ଅନୁମତି ଦେଇଛି ୟୁରୋପର ଡ୍ରଗ ଓ୍ବାଚଡଗ। ଏହି ବୟସ ବର୍ଗଙ୍କ ପାଇଁ ଅନୁମତି ପାଇବାରେ ଫାଇଜର ବିଶ୍ୱରେ ପ୍ରଥମ ଟିକା।
ଏହି ଟିକାକୁ ପିଲାମାନେ ସହିପାରିବେ। ଚିନ୍ତା କଲା ଭଳି କୌଣସି ପାର୍ଶ୍ୱ ପତିକ୍ରିୟା ନ ଥିବା ଆମଷ୍ଟରଡାମର ପ୍ରତିଷ୍ଠିତ ଇରୋପିଆନ ମେଡିସିନି ଏଜେନ୍ସି (ଇଏମ୍ଏ) ପକ୍ଷରୁ କୁହାଯାଇଛି। ଇଏମ୍ଏଠାରୁ ସବୁଜ ସଙ୍କେତ ମିଳିବା ପରେ ଜର୍ମାନୀ ପକ୍ଷରୁ କୁହାଯାଇଛି, ଆସନ୍ତା ୭ ତାରିଖରୁ ଦେଶରେ ୧୨ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ପିଲାଙ୍କ ପାଇଁ ଟିକାକରଣ ପ୍ରକ୍ରିୟା ଆରମ୍ଭ କରଯିବ। ଆମେରିକା ଓ କାନାଡା ମଧ୍ୟ ସମାନ ଟିକାକୁ କିଶୋରଙ୍କ କ୍ଷେତ୍ରରେ ବ୍ୟବହାର ଲାଗି ଅନୁମତି ଦେଇଛନ୍ତି।
କିଶୋରଙ୍କ ଠାରେ କରାଯାଇଥିବା ଟ୍ରାଏଲରେ ଏହି ଟିକା ବେଶ୍ ପ୍ରଭାବଶାଳୀ ଜଣାପଡ଼ିଛି। ଚିନ୍ତା କଲାଭଳି କୌଣସି ପାର୍ଶ୍ୱ ପତିକ୍ରିୟା କିଶୋରଙ୍କ ଠାରେ ଦେଖାଯାଇନାହିଁ। ଏଣୁ ଇଏମ୍ଏର କମିଟି ଫାଇଜର/ବାୟୋଏନ୍ଟେକ ଦ୍ୱାରା ପ୍ରସ୍ତୁତ ଟିକାକୁ ଅନୁମତି ଦେଇଥିବା ଇଏମ୍ଏର ଭାକ୍ସିନ ଷ୍ଟାଟେଜି ମୁଖ୍ୟ କହିଛନ୍ତି।