Categories: ବାଣିଜ୍ୟ

ପିଏଫ୍‌ଏଲ୍‌ର ଅଏଲ ପାମ୍‌ ମେଗା ପ୍ଲାଣ୍ଟେଶନ ଡ୍ରାଇଭ

ଭୁବନେଶ୍ୱର,୧୧।୮( ଅଭୟ ଦାଶ):ପତଞ୍ଜଳି ଫୁଡ୍‌ସ ଲିମିଟେଡ୍‌ (ପିଏଫ୍‌ଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ସ୍ବତନ୍ତ୍ର ଅଭିଯାନ ‘ପାମ୍‌ ଅଏଲର ମେଗା ରୋପଣ କାର୍ଯ୍ୟକ୍ରମ’(ଅଏଲ ପାମ୍‌ ମେଗା ପ୍ଲାଣ୍ଟେଶନ ଡ୍ରାଇଭ)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଆସାମ ସରକାରଙ୍କ କୃଷି ବିଭାଗ ସହଯୋଗରେ ଆସାମର ତିନ୍‌ସୁକିଆ ଜିଲାରେ ଉକ୍ତ ଅଭିଯାନର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏଫ୍‌ଏଲ୍‌ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପତଞ୍ଜଳିର ପ୍ରମୁଖ ସ୍ବାମୀ ରାମଦେବଙ୍କ ସମେତ ଆସାମ ସରକାରଙ୍କ କୃଷିମନ୍ତ୍ରୀ, ବିଧାୟକ, ଏମ୍‌ପି ଓ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ଏବଂ ପିଏଫ୍‌ଏଲ୍‌ର କର୍ମଚାରୀମାନେ ଉପସ୍ଥିତ ଥିଲେ। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିବା ଜାତୀୟ ଖାଇବା ତେଲ ମିଶନ ପାମ୍‌ ଅଏଲ ଅଧୀନରେ ଜାତୀୟସ୍ତରୀୟ ମେଗା ପାମ୍‌ ଅଏଲ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମ ଜରିଆରେ ପ୍ରାୟ ୬୪ ହଜାର ହେକ୍ଟର ଜମିରେ ପାମ୍‌ ଅଏଲ ଚାରା ରୋପଣ କରାଯିବ। ସେହିଭଳି ଉକ୍ତ କାର୍ଯ୍ୟକ୍ରମରେ ୪୫୦୦ରୁ ଅଧିକ କୃଷକ ଅଂଶ ଗ୍ରହଣ କରିଥିଲେ। ଏପରିକି ରାଜ୍ୟର ୨୫ଟି ପ୍ରମୁଖ ସ୍ଥାନରେ ୨୮୦୦ ମଞ୍ଜି ବଣ୍ଟନ କରାଯାଇଥିଲା। ବିଶେଷକରି ରାଜ୍ୟର ପ୍ରତ୍ୟେକ ଆଶାୟୀ ଚାଷୀ ଆଗକୁ ଆସିବା ସହ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ। ସେହିପରି ଏହି କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଲାଗି ଆସାମ ସରକାର ଓ ପିଏଫ୍‌ଏଲ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିିକ ବୁଝାମଣା ମଧ୍ୟ ହୋଇଛି। ସୂଚନାଯୋଗ୍ୟ, ଦେଶର ପ୍ରମୁଖ ରାଜ୍ୟ ଯଥା କର୍ନାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ତ୍ରିପୁରା ଏବଂ ନାଗାଲାଣ୍ଡରେ ପାମ୍‌ ଅଏଲ ରୋପଣ କରାଯାଉଛି। ଏହି ୬ ରାଜ୍ୟର ୧୩ ଜିଲା ଅନ୍ତର୍ଗତ ୧୪ ବ୍ଲକରେ ଉକ୍ତ ଚାଷ କରାଯାଉଛି।

Share