ପିଜି ନାମଲେଖା ପ୍ରକ୍ରିୟାରେ ପରିବର୍ତ୍ତନ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ସାମ୍ସ ପୋର୍ଟାଲରେ ମାର୍କ ଦାଖଲ କରିବା ଅବଧିକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ବୃଦ୍ଧି କରିଛି। ଗୁରୁବାର ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ ଏବଂ ସ୍ବୟଂଶାସିତ ମହାବିଦ୍ୟାଳୟର ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଛି। ମାତ୍ର ଏପର୍ଯ୍ୟନ୍ତ କେତେକ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଯୁକ୍ତ ୩(ସ୍ନାତକ) ପାଠ୍ୟକ୍ରମର ପରୀକ୍ଷା ଫଳ ପ୍ରକାଶ କରିପାରି ନାହାନ୍ତି। ତେଣୁ ବହୁ ଛାତ୍ରୀଛାତ୍ର ନିର୍ଦ୍ଧାରିତ ସମୟ ନଭେମ୍ବର ୫ ସୁଦ୍ଧା ସାମ୍ସ ପୋର୍ଟାଲରେ ମାର୍କ ଦାଖଲ କରିବାରେ ଅସମର୍ଥ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମାର୍କ ଦାଖଲ ସମୟକୁ ବଢ଼ାଯାଇଛି। ସେହିଭଳି ନାମଲେଖା ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ନଭେମ୍ବର ୧୦ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ସ୍ନାତକ ମାର୍କ ସାମ୍ସ ପୋର୍ଟାଲରେ ଦାଖଲ କରିପାରିବେ। ସେହିପରି ୧୦ ତାରିଖରେ ପ୍ରକାଶ ପାଇବାକୁ ଥିବା ମେରିଟ୍‌ ଲିଷ୍ଟ ୧୬ ତାରିଖରେ ପ୍ରକାଶ ପାଇବ। ଡିସେମ୍ବର ୧୦ ସୁଦ୍ଧା ପିଜି ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଶେଷ ହେବାନେଇ ବିଭାଗ ସୂଚନା ଦେଇଛି।

Share