ଆଜିଠାରୁ ପିଜି ପାଠପଢ଼ା

ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ୨୦୨୨-୨୩ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ସ୍ନାତକୋତ୍ତର(ପିଜି) ଛାତ୍ରୀଛାତ୍ରଙ୍କ ପାଠପଢ଼ା ସୋମବାରରୁ ଆରମ୍ଭ ହେବ। ଯେଉଁ ଛାତ୍ରୀଛାତ୍ର ହଷ୍ଟେଲରେ ରହିବା ପାଇଁ ନାମ ଲେଖାଇଛନ୍ତି, ସେମାନଙ୍କ ପାଇଁ ହଷ୍ଟେଲରେ ସବୁ ପ୍ରକାର ସୁବିଧା ରଖିବା ପାଇଁ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ଚେୟାରମ୍ୟାନ ଏବଂ ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି। ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ଏହି ନିର୍ଦ୍ଦେଶକୁ ପାଳନ କରିପାରିବେ ବୋଲି ଚିଠିରେ ଉଲ୍ଲେଖ ରହିଥିଲା। ସେପଟେ ପିଜି ନାମଲେଖା ପ୍ରକ୍ରିୟା ଏଯାଏ ଶେଷ ହୋଇନାହିଁ। ପ୍ରଥମ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୧୬ ଓ ୧୭ରେ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ୨୪ ଓ ୨୫ ତାରିଖରେ ଅନୁଷ୍ଠିତ ହୋଇଥିଲା। ସ୍ପଟ୍‌ ନାମଲେଖା ପାଇଁ ଗତ ୧୦ ତାରିଖରେ ମେଧା ତାଲିକା ପ୍ରକାଶ ପାଇଥିଲାବେଳେ ୧୮ତାରିଖରେ ସିଟ୍‌ ଆବଣ୍ଟନ ତାଲିକା ପ୍ରକାଶ ପାଇବ। ତେବେ ନାମଲେଖା ଶେଷ ହୋଇ ନ ଥିଲେ ସୁଦ୍ଧା ପାଠପଢ଼ା ବହୁ ବିଳମ୍ବ ହୋଇଯାଇଥିବାରୁ ରାଜ୍ୟ ସରକାର କ୍ଲାସ୍‌ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Share