୧୧ରେ ପିଜି ସ୍ପଟ୍‌ ନାମଲେଖା-୨: ୬ରେ ପ୍ରକାଶ ପାଇବ ମେଧା ତାଲିକା

ଭୁବନେଶ୍ୱର,୫।୨(ବ୍ୟୁରୋ): ପୋଷ୍ଟ ଗ୍ରାଜୁଏଟ(ପିଜି) ପାଇଁ ସ୍ପଟ୍‌ ନାମଲେଖା-୨ ନିମନ୍ତେ ଗୁରୁବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ନାମଲେଖା ନେଇ ପ୍ରସ୍ତୁତ ଗାଇଡ୍‌ଲାଇନ ବିଶ୍ୱବିଦ୍ୟାଳୟ ପିଜି କାଉନ୍‌ସିଲ ଅଧ୍ୟକ୍ଷ, ଡିଗ୍ରୀ କଲେଜଗୁଡ଼ିକର ଅଧ୍ୟକ୍ଷଙ୍କୁ ଜଣାଇ ଦିଆଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଫେବୃୟାରୀ ୬ରେ ମେଧା ତାଲିକା (ମେରିଟି ଲିଷ୍ଟ) ପ୍ରକାଶ ପାଇବ। ୮ ଓ ୯ ତାରିଖରେ ପ୍ରାର୍ଥୀମାନଙ୍କର ମେଧା ତାଲିକା ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଓ କଲେଜକୁ ପଠାଇ ଦିଆଯିବ। ୧୦ ତାରିଖ ମଧ୍ୟାହ୍ନ ୧ଟା ସୁଦ୍ଧା ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡିକ ଚୟନ ତାଲିକା ପ୍ରକାଶ କରିବେ। ୧୧ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଚୂଡ଼ାନ୍ତ ପ୍ରାର୍ଥୀମାନଙ୍କର ନାମଲେଖା କରାଯିବ। ୧୨ ତାରିଖ ଅପରାହ୍ନ ୫ଟା ସୁଦ୍ଧା ସାମ୍‌ସ ପୋର୍ଟାଲରେ ନାମ ଲେଖାଇଥିବା ଛାତ୍ରୀଛାତ୍ରମାନଙ୍କର ତାଲିକାକୁ ଅପ୍‌ଡେଟ କରିବାକୁ କୁହାଯାଇଛି।
ମାର୍କ ଆଧାରରେ ମେଧା ତାଲିକା ପ୍ରସ୍ତୁତ କରିବାକୁ ଗାଇଡ୍‌ଲାଇନରେ କୁହାଯାଇଛି। ବିଷୟ ଅନୁଯାୟୀ ପ୍ରସ୍ତୁତ ମେଧା ତାଲିକାକୁ ସାମ୍‌ସରେ ଅପ୍‌ଲୋଡ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରାର୍ଥୀମାନଙ୍କୁ ଏସ୍‌ଏମ୍‌ଏସ୍‌ ଜରିଆରେ ନାମଲେଖା ପାଇଁ ଜଣାଇ ଦିଆଯିବ। ମେଧା ତାଲିକାରେ ଥିବା ପ୍ରାର୍ଥୀମାନେ କେଉଁ ତାରିଖ ଓ ସମୟରେ ନାମ ଲେଖାଇବେ ସେ ନେଇ ଜଣାଇବା ସହ ପ୍ରାର୍ଥୀମାନଙ୍କର ଉପସ୍ଥାନ, ଫୋନ୍‌ ନମ୍ବର ଏବଂ ଇ-ମେଲ୍‌ ଆଇଡି ରଖିବାକୁ କୁହାଯାଇଛି। ତେବେ ସ୍ପଟ୍‌ ନାମ ଲେଖା ପାଇଁ ସ୍ଲାଇଡ୍‌ ଅପ୍‌ ଅପଶନ ନ ବାଛିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାର୍ଥୀମାନଙ୍କର ରିପୋର୍ଟିଂ ସମୟ ପରେ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକ ଖାଲିଥିବା ସିଟ୍‌ଗୁଡିକ ସମ୍ପର୍କରେ ନୋଟିସ ବୋର୍ଡରେ ପ୍ରକାଶ କରିବାକୁ କୁହାଯାଇଛି। ପ୍ରାର୍ଥୀମାନେ ଅତିବେଶିରେ ଗୋଟିଏ ଶିକ୍ଷାନୁଷ୍ଠାନ ଓ ବିଷୟକୁ ବାଛିପାରିବେ। ଯଦି କୌଣସି କାରଣରୁ ଏକାଧିକ ଦେଇଥିବେ ତେବେ ଗୋଟିଏ ବିଷୟ ଓ ଶିକ୍ଷାନୁଷ୍ଠାନକୁ ଚୂଡ଼ାନ୍ତ କରିବାକୁ ପଡ଼ିବ। ଏହା ଛଡ଼ା ଅନ୍ୟ ସବୁକୁ ବ୍ଲକ୍‌ କରି ଦିଆଯିବ। ଯଦି ୧୧ ତାରିଖ ନାମଲେଖା ପରେ ସିଟ୍‌ ଖାଲି ପଡିବ ତେବେ ଫେବୃୟାରୀ ୨୦ ତାରିଖ ଯାଏ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ନାମଲେଖା ପ୍ରକ୍ରିୟାକୁ ଜାରି ରଖିପାରିବେ।

Share