ନଭେମ୍ବର ୧୫ରେ ସରିବ ପିଜିଡିଏସ୍‌ର ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର,୮।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଫେସର ଘନଶ୍ୟାମ ଦାଶ ସ୍କଲାରଶିପ୍‌ (ପିଜିଡିଏସ୍‌) ର ୨୦ତମ ସଂସ୍କରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ବୃତ୍ତି ଆବେଦନ ପ୍ରକ୍ରିୟା ନିକଟରେ ଆରମ୍ଭ ହୋଇଥିଲାବେଳେ ୨୦୨୪ ନଭେମ୍ବର ୧୫ ରେ ଏହା ଶେଷ ହେବ ବୋଲି ଇଣ୍ଡିଆନ୍‌ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍‌ ଲିମିଟେଡ଼ ବା ଇମ୍ଫାର ସାମାଜିକ ପ୍ରତିଷ୍ଠାନ ବଂଶୀଧର ଆଣ୍ଡ ଇଲା ପଣ୍ଡା ଫାଉଣ୍ଡେଶନ୍‌ (ବିଆଇପିଏଫ୍‌) ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

ବିଶେଷ କରି ଉଚ୍ଚ ଶିକ୍ଷା ପାଇଁ ଉଦ୍ଦିଷ୍ଟ ଏହି ସ୍କଲାରଶିପ୍‌ ନିମନ୍ତେ ଆବେଦନ ପତ୍ର ଗ୍ରହଣ କରାଯାଉଛି। ଉଲ୍ଲେଖଯୋଗ୍ୟ, ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏପରିକି ଆଶାୟୀ ଆବେଦନକାରୀ ଓଡ଼ିଶାର ବାସିନ୍ଦା ହୋଇଥିବା ସହିତ ବୃତ୍ତିର ଯୋଗ୍ୟତା ମାନଦଣ୍ଡ (୮ଲକ୍ଷରୁ କମ୍‌ ବାର୍ଷିକ ପରିବାର ଆୟ) ପୂରଣ କରୁଥିବା ଆଗ୍ରହୀ ଛାତ୍ରୀଛାତ୍ରମାନେ ଏହାର ଓ୍ବେବସାଇଟ www.bipf.org.in. ଜରିଆରେ ସ୍କଲାରଶିପ୍‌ ନିମନ୍ତେ ଆବେଦନ କରିପାରିବେ। ଏହି ଅବସରରେ ବିଆଇପିଏଫ୍‌ର ପ୍ରତିଷ୍ଠାତା ତଥା ଟ୍ରଷ୍ଟି ଶୈଫାଳିକା ପଣ୍ଡା କହିଛନ୍ତି, ଆଗାମୀ ପିଢ଼ିକୁ ସଶକ୍ତ କରିବାରେ ଶିକ୍ଷାର ପ୍ରମୁଖ ଭୂମିକା ରହିଛି। ଏପରିକି ପିଜିଡିଏସ୍‌ ମାଧ୍ୟମରେ ଆମେ ଆର୍ଥିକ ପୃଷ୍ଠଭୂମିର ପ୍ରତିଭାଶାଳୀ ଛାତ୍ରୀଛାତ୍ରମାନଙ୍କୁ ଉଚ୍ଚଶିକ୍ଷା ହାସଲରେ ସହାୟତା ପ୍ରଦାନ କରିବା ସହିତ ସେମାନଙ୍କ ସମ୍ପ୍ରଦାୟରେ ଏକ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛୁ। ସେହିଭଳି ଓଡ଼ିଶାର ପ୍ରତିଭାଶାଳୀ ଛାତ୍ରୀଛାତ୍ରମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ସଶକ୍ତ କରିବା ଲକ୍ଷ୍ୟରେ ଏହି ସ୍କୋଲାରସିପ୍‌ ପ୍ରଦାନ କରାଯାଉଛି। ପ୍ରତି ବର୍ଷ ଇଞ୍ଜିନିୟରିଂ, ମେଡ଼ିସିନ୍‌, ଷ୍ଟେମ୍‌ ଓ ଲିବରାଲ ଆର୍ଟସ ବିଭାଗରେ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନରେ ୬ ଜଣ ଅସାଧାରଣ ଛାତ୍ରୀଛାତ୍ରମାନଙ୍କୁ ସେମାନଙ୍କ ଶିକ୍ଷାରେ ଆର୍ଥିକ ସହାୟତା ସ୍ବରୁପ ଏହି ସ୍କୋଲାରସିପ୍‌ ପ୍ରଦାନ କରାଯାଇଥାଏ। ଅପରପକ୍ଷରେ ପିଜିଡିଏସ୍‌ ଅନ୍ତର୍ଗତ ଏକାଡେମିକ୍‌ ଫି’ର ୯୦% ଓ ଅନ୍ୟାନ୍ୟ ଖର୍ଚ୍ଚକୁ ମିଶାଇ ପ୍ରତ୍ୟେକ ସ୍କୋଲାରସିପ୍‌ ହାସଲକାରୀ ଛାତ୍ରୀଛାତ୍ରମାନଙ୍କୁ ୬ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥାଏ।

Share