ନିଶ୍ଚିନ୍ତକୋଇଲି,୧୫।୧(ଅଶୋକ କୁମାର ମହାପାତ୍ର): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ଲୋକମାନଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ବହୁ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି। ଏହାସତ୍ତ୍ୱେ ନିଶ୍ଚିନ୍ତକୋଇଲି ବ୍ଲକ କେରିଲୋ ପଞ୍ଚାୟତ ଅନ୍ତର୍ଗତ ହାଣ୍ଡିଭଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ଦିନ ହେବ କୌଣସି ଡାକ୍ତର ନାହାନ୍ତି । ଫଳରେ ଫାର୍ମାସିଷ୍ଟ ରୋଗୀ ସେବା କରୁଥିବା ଅଭିଯୋଗ ହୋଇଛି।
କେରିଲୋ ଗ୍ରାମପଞ୍ଚାୟତ ହାଣ୍ଡିଭଙ୍ଗାଠାରେ ଦ୍ୱୀପାଞ୍ଚଳ ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଗତ ୨୦୧୧ରେ ହାଣ୍ଡିଭଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଶିଳାନ୍ୟାସ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଉଦ୍ଘାଟନ କରିଥିଲେ। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଦ୍ୱୀପାଞ୍ଚଳର ତରତ, ଜମରା, ଓରତି ସମେତ କେନ୍ଦ୍ରାପଡା ଜିଲାର ୩-୪ଟି ପଞ୍ଚାୟତର ଲୋକେ ନିର୍ଭରଶୀଳ। ମାତ୍ର ଦୀର୍ଘଦିନ ହେଲା ଏହି ସ୍ବାସ୍ଥ୍ୟକେନ୍ଦ୍ରରେ କୌଣସି ଡାକ୍ତର ନ ଥିବାର ଅଭିଯୋଗ ହୋଇଛି। ଫଳରେ ଡାକ୍ତରଖାନାର ଏକମାତ୍ର ଫାର୍ମାସିଷ୍ଟ ଅନ୍ତର୍ଯ୍ୟାମୀ ଲେଙ୍କା ରୋଗୀ ସେବା କରିବାକୁ ବାଧ୍ୟ ହେଉଛନ୍ତି। ପ୍ରତିଦିନ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଶତାଧିକ ରୋଗୀ ଚିକିତ୍ସା ନିମନ୍ତେ ଆସିଥାନ୍ତି । ତେବେ ଦୀର୍ଘ ଦିନ ହେଲା ଏହି ସ୍ବାସ୍ଥ୍ୟକେନ୍ଦ୍ରରେ କୌଣସି ଡାକ୍ତର ନ ଥିବା ଯୋଗୁ ଜରୁରିକାଳୀନ ପରିସ୍ଥିତିରେ ରୋଗୀମାନଙ୍କୁ ସ୍ବାସ୍ଥ୍ୟସେବା ମିଳିପାରୁନାହଁି ସେମାନେ ନିରାଶ ହୋଇ ଫେରିବାକୁ ବାଧ୍ୟ ହେଉଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସେହିପରି ଡାକ୍ତରଖାନାରେ କୌଣସି ବେଡ ନ ଥିଲା ବେଳେ କ୍ୱାର୍ଟର ମଧ୍ୟ ନାହିଁ। ଡାକ୍ତର ନ ଥିବା କାରଣରୁ ତ୍ୱରିତ ଚିକିତ୍ସା ନ ପାଇ ବହୁ ରୋଗୀଙ୍କ ଅକାଳରେ ମୃତ୍ୟୁ ଘଟିଥିବା ପୂର୍ବରୁ ନଜିର ରହିଛି। ସ୍ଥାନୀୟ ଲୋକେ ଏହି ଡାକ୍ତରଖାନାକୁ ଜଣେ ଡାକ୍ତର ଯୋଗାଇ ଦେବାକୁ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି। ପ୍ରଶାସନ ତରଫରୁ ତୁରନ୍ତ ଏହାର ପ୍ରତିକାର କରାଯିବା ସହ ଏହି ଡାକ୍ତରଖାନାକୁ ଡାକ୍ତର ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ ଅମିତ ଜେନା କୁହନ୍ତି, ଖୁବଶୀଘ୍ର ଏଠାରେ ଡାକ୍ତର ନିଯୁକ୍ତି କରି ଖାଲିଥିବା ପଦବୀଗୁଡ଼ିକୁ ପୂରଣ କରିବାକୁ ସରକାର ପ୍ରୟାସ କରୁଛନ୍ତି।