ଫିଲିପାଇନ୍ସ ରାଷ୍ଟ୍ରପତି ନିର୍ବାଚନ: ମାର୍କୋସ୍‌ ଜୁନିୟର ଆଗରେ

ମାନିଲା,୧୦।୫: ଫିଲିପାଇନ୍ସ ରାଷ୍ଟ୍ରପତି ନିର୍ବାଚନ ସୋମବାର ଅନୁଷ୍ଠିତ ହୋଇ ଭୋଟଗଣତି ଜାରି ରହିଛି। ସ୍ଥାନୀୟ ସମୟରାତି ରାତି ୧ଟା ୪୭ ସୁଦ୍ଧା ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ଭୋଟ ଗଣତି ହୋଇଥିବାବେଳେ ଫର୍ଡିନାଣ୍ଡ ମାର୍କୋସ ଜୁନିୟର ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ତଥା ବର୍ତ୍ତମାନର ଉପରାଷ୍ଟ୍ରପତି ଲେନି ରୋବ୍ରେଡୋଙ୍କଠାରୁ ଦୁଇଗୁଣରୁ ଅଧିକ ଭୋଟରେ ଆଗୁଆ ରହି ବଡ଼ ବିଜୟ ଅଭିମୁଖେ ଅଗ୍ରସର ହେଉଥିବା ନିର୍ବାଚନ କମିଶନଙ୍କ ତଥ୍ୟରୁ ଜଣାପଡ଼ିଛି। ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ଫର୍ଡିନାଣ୍ଡ ଇମାନ୍ବେଲ ଇଡ୍ରାଲିନ ମାର୍କୋସଙ୍କ ପୁଅ ମାର୍କୋସ ଜୁନିୟରଙ୍କୁ ୨୮.୮ ନିୟୁତରୁ ଅଧିକ ଭୋଟ ମିଳିଛି। ସେ ଲେନିଙ୍କଠାରୁ ୧୫ ନିୟୁତ ଭୋଟ ଆଗରେ ଅଛନ୍ତି। ୧୯୮୬ରେ ଏକଚ୍ଛତ୍ରବାଦୀ ଶାସକଙ୍କ ବିରୋଧରେ ବିଦ୍ରୋହର ସୂତ୍ରପାତ ହୋଇଥିଲା ଏବଂ ମାର୍କୋସ୍‌ ସିନିୟର କ୍ଷମତାରୁ ହଟିଥିଲେ। ୩୬ ବର୍ଷ ପରେ ପୁଣି ଥରେ ମାର୍କୋସ ପରିବାର କ୍ଷମତାକୁ ଫେରିବାକୁ ଯାଉଛନ୍ତି।

Share