Philippines Landslide: ଭୂସ୍ଖଳନରେ ମାଟି ତଳେ ପୋତି ହେଲା ୨ ବସ, ଉଦ୍ଧାର କାର୍ଯ୍ୟ ଜାରି…

ମାନିଲା,୭।୨ : ପ୍ରବଳ ବର୍ଷା ଓ ବନ୍ୟା ଦକ୍ଷିଣ ଫିଲିପାଇନ୍ସରେ ଭୟଙ୍କର ରୂପ ନେଇଛି। ଲଗାତାର ବର୍ଷା ଯୋଗୁ ପ୍ରଦେଶରେ ଭୂସ୍ଖଳନ ଘଟିଛି। ଭୂସ୍ଖଳନରେ ଦୁଇଟି ବସ ମାଟି ତଳେ ପୋତି ହୋଇ ଯାଇଛି। ଏହି ଘଟଣାରେ ୧୧ ଜଣ ଆହତ ହୋଇଛନ୍ତି। ବୁଧବାର ବିପର୍ଯ୍ୟୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ମଙ୍ଗଳବାର ରାତିରେ ଡାଭାଓ ଡି ଓରୋ ପ୍ରଦେଶର ମାକୋ ସହରରେ ଏକ ସୁନା ଖଣି ବାହାରେ ଏହି ଭୂସ୍ଖଳନ ଘଟିଥିଲା ଯେଉଁଠାରେ ବସ କର୍ମଚାରୀମାନଙ୍କୁ ନେଇ ଯାଉଥିଲା ବୋଲି ଆପେକ୍ସ ମାଇନିଂ ଅପରେଟର ଏକ ବିବୃତ୍ତିରେ କହିଛନ୍ତି। ବସରେ କେତେ କର୍ମଚାରୀ ଥିଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

ମାଇକୋ ସହରର ବିପର୍ଯ୍ୟୟ ଏଜେନ୍ସି ବୁଧବାର ଏକ ଫେସବୁକ ପୋଷ୍ଟରେ କହିଛି ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାକୁ ନିଆଯାଇଛି, ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମାଇଣ୍ଡାନାଓ ଦ୍ୱୀପରେ ଅବସ୍ଥିତ ମାକୋର ପାଞ୍ଚଟି ଗ୍ରାମ ପାଇଁ ବିପର୍ଯ୍ୟୟ ଏଜେନ୍ସି ମଧ୍ୟ ନିର୍ଦ୍ଦେଶନାମା ଜାରି କରିଛି। ଏସବୁ ଗାଁ ଗୁଡ଼ିକୁ ଖାଲି କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।

ଜାତୀୟ ବିପର୍ଯ୍ୟୟ ଏଜେନ୍ସିର ତଥ୍ୟ ଦର୍ଶାଉଛି ଉତ୍ତର-ପୂର୍ବ ମୌସୁମୀ ଏବଂ ଦକ୍ଷିଣ ମାଇଣ୍ଡାନାଓ ଅଞ୍ଚଳର ତଳିଆ ସ୍ଥାନରେ ଜାନୁୟାରୀ ୨୮ରୁ ଫେବୃଆରୀ ୨ ମଧ୍ୟରେ ପ୍ରବଳ ବର୍ଷା ଯୋଗୁ ଏହି ଅଞ୍ଚଳରେ ବନ୍ୟା ଓ ଭୂସ୍ଖଳନ ଘଟିଛି।

Share