ଦାର୍ଶନିକ ଭାଷଣ

ହରେକୃଷ୍ଣ ଦାସ

 

ପରମ ଜ୍ଞାନୀ ରାଜା ଭର୍ତ୍ତୃହରି ମାନବ ଜୀବନ ତଥା ସଂସାରର ଅଳୀକତା ବିଷୟରେ ଯଥେଷ୍ଟ ସଚେତନ ଥିଲେ ମଧ୍ୟ ସନ୍ନ୍ୟାସୀ ଗୋରେଖନାଥଙ୍କ ସହ ସାକ୍ଷାତ ହେବା ପରେ ହିଁ ତାଙ୍କ ଜ୍ଞାନଚକ୍ଷୁ ଉନ୍ମିଳିତ ହୋଇଥିଲା ଏବଂ ସମୟକ୍ରମେ ସେ ବୈରାଗ୍ୟ ଆଦରି ନେଇଥିଲେ। ସନ୍ନ୍ୟାସୀଙ୍କଠାରୁ ନିଜ ପାଇଁ ପାଇଥିବା ଅମୃତଫଳକୁ ନିଜେ ନ ଖାଇ ତାଙ୍କ ପାଇଁ ସର୍ବଶ୍ରେଷ୍ଠ ସାଂସାରିକ ମୋହମାୟାର କାରଣ ତାଙ୍କର ପ୍ରିୟ ରାଣୀ ପିଙ୍ଗଳାଙ୍କୁ ଦେଇଥିଲେ ମଧ୍ୟ ଶଠତାର ଚକ୍ରରେ ଫଳଟି ତାଙ୍କ ପାଖକୁ ଫେରିଆସିବା ପରେ ସେ ଯେତେବେଳେ ଅନୁଭବ କଲେ ଯେ ତାଙ୍କ ଭଲପାଇବା ପ୍ରତି ରାଣୀ ବିଶ୍ୱାସଘାତକତା କରିଛନ୍ତି ସେ ଦୁଃଖରେ ମ୍ରିୟମାଣ ହେଇପଡ଼ିଥିଲେ। ଏଇଭଳି ସମୟରେ ସନ୍ନ୍ୟାସୀ ମହାଭାଗଙ୍କର ଆବିର୍ଭାବ ଭର୍ତ୍ତୃହରିଙ୍କ ଜୀବନର ଗତିପଥ ଓ ଉଦ୍ଦେଶ୍ୟ ବଦଳାଇଦେଇଥିଲା। ଏହି ପରିବର୍ତ୍ତିତ ଜୀବନର ଅନବଦ୍ୟ କୃତି ଭାବରେ ’ବୈରାଗ୍ୟ ଶତକ’ ଏ ସଂସାରକୁ ପ୍ରାପ୍ତ ହେଲା ଯେଉଁଥିରେ ଏକ ଶ୍ଳୋକ ମାଧ୍ୟମରେ ସେ ପରାମର୍ଶ ଦେଇଛନ୍ତି ଯେ ଏ କ୍ଷଣଭଙ୍ଗୁର ଜଗତ, ନଶ୍ବର ଅସ୍ଥି ମାଂସ ରକ୍ତର ଦେହ ତଥା ସ୍ତ୍ରୀ ସନ୍ତାନ ଆଦିଙ୍କ ପ୍ରତି ଥିବା ଆସକ୍ତି ତ୍ୟାଗକରି ବୈରାଗ୍ୟ ଆଚରଣ କରିବା ଉଚିତ।
ଭର୍ତ୍ତୃହରିଙ୍କ ସମ୍ପର୍କରେ ଅନେକ ରୋଚକ କଥା ଧୈର୍ଯ୍ୟର ସହ ଶୁଣିସାରି ବନ୍ଧୁ କହିଲେ, ”ସମ୍ପୂର୍ଣ୍ଣ ଆସକ୍ତି ସହ ଜୀବନକୁ ଭରପୂର ଉପଭୋଗ କରିସାରିଲା ପରେ ରାଜାଙ୍କର ଚୈତନ୍ୟ ଉଦୟ ହେଲା, ଆଉ ସେ ଆମକୁ ଉପଦେଶ ଦେଲେ ଯେ ସ୍ତ୍ରୀ ସନ୍ତାନ ଇତ୍ୟାଦିଙ୍କଠାରୁ ମୋହ ତୁଟାଇ ବୈରାଗୀଙ୍କ ଭଳି ବଞ୍ଚିବା ଉଚିତ। କୋଉ ନୂଆ କଥାଟେ କହିଲେ କି? ଯୁଗ ଯୁଗ ଧରି ଅନେକ ଶାସ୍ତ୍ରରେ ଏ କଥା କୁହାଯାଇଛି ବୋଲି ଆମେ ଜାଣୁ। ଅନେକ ଜ୍ଞାନୀ ଗୁଣୀ ବିଦ୍ବାନ ଏକଥା ଜାଣି ମଧ୍ୟ ନିଜ ଜୀବନରେ ପ୍ରୟୋଗ କରିପାରିନାହାନ୍ତି। କିଏ କ’ଣ ଲେଖିଦେଲା ବୋଲି ସେଇ କଥାକୁ ଧରି ରହିଲେ କ’ଣ ବଞ୍ଚିହେବ? ଦଶରଥଙ୍କର କ’ଣ ଏ ଜ୍ଞାନ ନ ଥିଲା କି? ଭାଷଣ ମାରିବା ଯେମିତି ସହଜ, ମୋହ ତୁଟାଇବା ସେମିତି ସହଜ ହୋଇଥିଲେ ସେ କାହିଁକି ରାମଙ୍କୁ ଝୁରି ଝୁରି ପ୍ରାଣ ତ୍ୟାଗ କରିଥାଆନ୍ତେ? ସମସ୍ତେ ଜାଣନ୍ତି ଯେ ମଲା ବେଳେ ସମ୍ପତ୍ତି କି ସ୍ତ୍ରୀ ପିଲା ସାଙ୍ଗରେ ଯାଆନ୍ତି ନାହିଁ; ତଥାପି କେମିତି ଲୋକେ ଚୋରି ଟାଉଟରି ଠକେଇକରି ହେଉ କି ନିଜେ ସାରା ଜୀବନ ଦୁଃଖକଷ୍ଟରେ ବଞ୍ଚି ବ୍ୟକ୍ତିଗତ ସୁଖ ତ୍ୟାଗକରି ହେଉ ସେଇ ପିଲାମାନଙ୍କ ପାଇଁ ଧନ ଠୁଳ କରିଚାଲନ୍ତି ,ଯୋଉ ପିଲାମାନେ ବେଳ ପଡ଼ିଲେ ଏମାନଙ୍କୁ ଗୋଡ଼ରେ ଆଡ଼େଇଦେବାକୁ ମଧ୍ୟ କୁଣ୍ଠିତ ହୁଅନ୍ତି ନାହିଁ। କେବଳ ବଂଶବୃଦ୍ଧି ହେବାର ମୋହରେ ତୁଚ୍ଛା କୁଳାଙ୍ଗାର ହୋଇଥିଲେ ବି ନିଜ ପିଲାଙ୍କ ଉପରେ ଲୋକେ ନିଜର ଧନ,ସମ୍ପତ୍ତି,ମାନ,ଇଜ୍ଜତ ସବୁ କିଛି ଲୁଟେଇ ଦିଅନ୍ତି ନା ନାହିଁ?“
ବନ୍ଧୁଙ୍କ ପ୍ରଗଳ୍ଭତାରେ ହସ୍ତକ୍ଷେପ କରି ମୁଁ କହିଲି,”ଦଶରଥଙ୍କ ଆସକ୍ତିକୁ ଆଦର୍ଶ ଭାବରେ କାହିଁକି ଦେଖୁଛ? ନିଜ ଅପରାଧୀ ସନ୍ତାନଠାରୁ ମୋହ ତୁଟାଇ, ନିଜ ବଂଶ ରହିବା ନ ରହିବାକୁ ଖାତିର ନ କରି, ତାକୁ ମୃତ୍ୟୁଦଣ୍ଡ ଦେବାକୁ ସ୍ବର ଉଠାଉଥିବା କିମ୍ବା ତାକୁ ବହିଷ୍କାର କରୁଥିବା ଅନେକ ମହାନ୍‌ ବାପାମାଆଙ୍କୁ ଆଦର୍ଶ ବୋଲି ଗ୍ରହଣ କରିବାଟା ବର୍ତ୍ତମାନ ସମୟ ପାଇଁ ବେଶି ଉପଯୋଗୀ ସାବ୍ୟସ୍ତ ହୋଇପାରେ। ବିଡ଼ମ୍ବନା ହେଉଛି ଯେ ସମସ୍ତେ ସବୁଦିନ ଅନେକ ଅପ୍ରିୟ, ଅସତ୍ୟ ସ୍ବପ୍ନ ଦେଖୁଥିଲେ ମଧ୍ୟ ସେସବୁ ନିଜ ସହ କେବେ ଘଟିବନି ବୋଲି ମନକୁ ବୋଧ ଦେଉଥା’ନ୍ତି; ଗୋଟେ ଠୋକର ଖାଇଲା ପରେ ଚୈତନ୍ୟ ଉଦୟ ହୁଏ, କିନ୍ତୁ ଲୋକଲଜ୍ଜା ଭୟରେ ଭିତରେ ମରୁଥିଲେ ବି ଉପରକୁ ସବୁ ଠିକ୍‌ ଥିବାର ଦେଖେଇ ହୁଅନ୍ତି ଏବଂ ଅବଶିଷ୍ଟ ଜୀବନ ସେଇ ମିଛ ଚେହେରା ଧରି ବଞ୍ଚିରହନ୍ତି। କେତେଜଣ ଲୋକ ସବୁ ମୁହୂର୍ତ୍ତରେ ସବୁ ସମ୍ପର୍କରେ ଠୋକର ଖାଉଥିଲେ ମଧ୍ୟ ଦଶରଥଙ୍କର ସ୍ତ୍ରୀ-ପୁତ୍ର ମୋହର ଦୃଷ୍ଟାନ୍ତ ପାଲଟିଯାଆନ୍ତି ପଛେ ଭର୍ତ୍ତୃହରି ହୋଇପାରନ୍ତିନାହିଁ।“
ମୋ ଭାଷଣ ଶୁଣି ବନ୍ଧୁଙ୍କର ଶୁଖିଆସୁଥିବା ମୁହଁ ଦେଖି ମୁଁ ଅଟକିଗଲି ତ ସେ କହିଲେ, ”ପୂରା ଠିକ୍‌ କଥା। ମିଛ ଚେହେରା ଧରି ଆମେ ବଞ୍ଚୁଛୁ ସିନା, ଭିତରେ ଆମେ ସମସ୍ତେ କିନ୍ତୁ ଦୁଃଖ, ହତାଶା ଆଉ ଅସହାୟତାରେ ଶଢ଼ୁଛୁ। ପରିବାରର ମୋହ ଏମିତି ଜାବୁଡ଼ି ଧରିଛି ଯେ ପ୍ରତି ମୁହୂର୍ତ୍ତରେ ମରି ମରି ବଞ୍ଚୁଥିଲେ ମଧ୍ୟ ଆମେ ସଂସାର ଛାଡ଼ିପାରୁନାହୁଁ। ସମସ୍ତେ ଏୟା ଭାବନ୍ତି ଯେ ତମ ପାଇଁ କେହି କିଛି କରିବା ଆବଶ୍ୟକ ନାହିଁ, ସେମାନଙ୍କ ପାଇଁ କେବଳ ତମର ହିଁ ଯାହା କର୍ତ୍ତବ୍ୟ ଅଛି। ଆଉ ସେଥିରେ ସାମାନ୍ୟ ଊଣା ହେଲେ ତୁମ ସ୍ତ୍ରୀ ପିଲା ଭାଇ ବନ୍ଧୁ ସମସ୍ତେ ତୁମକୁ ବିଷଦୃଷ୍ଟିରେ ଦେଖିବେ। ଏସବୁ ଅନୁଭବକରି ମଧ୍ୟ ସେ ମୋହ ତୁଟାଇହେଉନାହିଁ। ଏମିତି ଦେଖିଲେ ଆମେ ସମସ୍ତେ ଜଣେ ଜଣେ ଭର୍ତ୍ତୃହରି। ସେ ନିଜକୁ ମୁକାଳିପାରିଲେ, ଆମେ କିନ୍ତୁ ଚିରକାଳ ବନ୍ଦୀ।“
ବନ୍ଧୁଙ୍କର ଦାର୍ଶନିକ ଭାଷଣ ସରିଛି କି ନାହିଁ, ତାଙ୍କ ସ୍ତ୍ରୀ ଓ ୨ ପିଲା ଆସି ହାଜର ହୋଇଗଲେ। ରାଗ ତମତମ ହୋଇ ବନ୍ଧୁଙ୍କ ସ୍ତ୍ରୀ କହିଲେ, ”ତୁମର ଏତେ ବେଖାତିର ଭାବ! ଆମେ ମଲ୍‌ ବୁଲିଯିବା ପାଇଁ ଅପେକ୍ଷା କରିଛୁ ଅଥଚ ତମେ ଏଠି ଆସି ଖଟି କରୁଛ?“ ଝିଅ ବି ଯୋଡ଼ିଦେଲା,”ଓଃ, ତମେ ଏତେ ସେଲ୍‌ଫିସ୍‌!“ କିଛି ଉତ୍ତର ନ ଦେଇ ବନ୍ଧୁ ଖାଲି କରୁଣ ଚାହାଣିଟେ ଫିଙ୍ଗିଦେଇ ସ୍ତ୍ରୀଙ୍କ ପଛେ ପଛେ ଗଲାବେଳେ ବନ୍ଧୁଙ୍କ ଭିତରେ ମୁଁ ଅନେକଙ୍କୁ ଦେଖି ପାରୁଥିଲି; ସମସ୍ତେ ଠିକ୍‌ ତାଙ୍କ ପରି- ବନ୍ଦୀ ଭର୍ତ୍ତୃହରି।
ଅଧ୍ୟାପକ, ଇଂଲିଶ ବିଭାଗ
ନିଆଳି କଲେଜ, ନିଆଳି, କଟକ
ମୋ: ୯୮୬୧୩୪୫୬୫୮


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ବେଢ଼ାରେ ଗଜାନନ

ଶ୍ରୀମନ୍ଦିର  ପଶ୍ଚିମ ପାର୍ଶ୍ୱରେ ଥିବା ସାକ୍ଷୀଗୋପାଳ ମନ୍ଦିର ନିକଟରେ ରହିଛି କାଞ୍ଚତ୍ ଗଣେଶ ମନ୍ଦିର। କାଞ୍ଚତ୍ ଗଣେଶଙ୍କୁ ତନ୍ତ୍ର ଗଣେଶ ମଧ୍ୟ କୁହାଯାଏ। ଭିତରଛୁ ମହାପାତ୍ର...

ଶକ୍ତ ବିରୋଧୀ, ସଶକ୍ତ ଗଣତନ୍ତ୍ର

ବିଗତ ଦିନରେ ଦେଶରେ ଏପରି କିଛି ଘଟଣା ଘଟିଛି, ଯାହା ଏନ୍‌ଡିଏ ୩.୦ ସରକାରଙ୍କ ଅସହାୟତାକୁ ପଦାରେ ପକାଇଛି। ଏହି ନିରୁପାୟ ଶକ୍ତ ବିରୋଧୀ ଦଳ...

ନିବେଶ ଲକ୍ଷ୍ୟରେ ଭଜନଲାଲ

ଡିସେମ୍ବର ୯ରୁ ୧୧ ଜୟପୁରରେ ‘ରାଇଜିଂ ରାଜସ୍ଥାନ’ ବୈଶ୍ୱିକ ନିବେଶ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଆଇଏଏସ୍‌ ଅଧିକାରୀଙ୍କ ଗୋଟିଏ ଟିମ୍‌ ସାରା...

ଗୃହ ବିଦ୍ୟାଳୟ

ଆଜି ସବୁଠି ଅଭିଯୋଗ ଯେ ପଞ୍ଚମ ଶ୍ରେଣୀରେ ପଢୁଥିବା ପିଲା ନିଜ ନାଁ ବି ଠିକ୍‌ ସେ ଲେଖି ପାରୁନି ଏବଂ ହାଇସ୍କୁଲରେ ପାଠ ପଢୁଥିବା...

ଓ୍ବିମ୍ବେଲଡନରେ ଜଳବାୟୁ ପ୍ରତିବାଦ

ଜଳବାୟୁ ପ୍ରଦର୍ଶନକାରୀମାନେ ୱିମ୍ବେଲଡନ ଟେନିସ୍‌ ପ୍ରତିଯୋଗିତାରେ ବାଧା ସୃଷ୍ଟି କରିଥିଲେ। ସେମାନେ ପ୍ରସିଦ୍ଧ ଚିତ୍ରକଳାକୁ ସୁରକ୍ଷା ଦେଉଥିବା ଗ୍ଲାସ୍‌ ଉପରକୁ ଟମାଟୋ ସସ୍‌ ପକାଇଥିଲେ। ଏହାସହ...

କଠୋର ଦଣ୍ଡବିଧାନ ଲୋଡ଼ା

ନାରୀଶକ୍ତିର ଦୁରବସ୍ଥା ଆଜି ଖବରକାଗଜ, ଟେଲିଭିଜନ ଖୋଲିଲେ ଜଣାପଡ଼େ। ୨୦୧୨ମସିହାରେ ନୂଆ ଦିଲ୍ଲୀ ରାଜରାସ୍ତାର ଚଳନ୍ତା ବସ୍‌ରେ ଘଟିଥିବା ନାରକୀୟ କାଣ୍ଡ ସମଗ୍ର ସଭ୍ୟସମାଜରେ ହଇଚଇ...

ଗୁରୁ ଚିର ନମସ୍ୟ

ଦେଶର ଅଗଣିତ ଶିଶୁମାନଙ୍କୁ ଶିକ୍ଷାଦାନ କରି ଜଣେ ସୁନାଗରିକ କରିବାରେ ଗୁରୁମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ସମାଜରେ ଯଥେଷ୍ଟ ଉପରେ ରହିଛି। ଆମ ପୁଣ୍ୟ ଭୂମି...

ଗାନ୍ଧିଜୀଙ୍କ ଅନୁସୃତ ଚିକିତ୍ସା ପଦ୍ଧତି

ମନୁଷ୍ୟ ଶରୀର ପଞ୍ଚଭୂତରୁ ସୃଷ୍ଟି। ସେଗୁଡ଼ିକ ହେଉଛି- ଅଗ୍ନି, ବାୟୁ, ଜଳ, ଆକାଶ ଓ ପୃଥିବୀ। ତେଣୁ ମାଟି, ପାଣି, ବାୟୁ, ଆଲୋକ ଓ ଉତ୍ତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri