Categories: ଫୁରସତ

୧୦ ଟନ୍‌ ଟ୍ରକ୍‌ ଟାଣି ଦିବ୍ୟାଙ୍ଗଙ୍କ ରେକର୍ଡ

ଇଂଲଣ୍ଡ: ନିଜ ମନୋବଳ ଦୃଢ଼ ଥିଲେ, ଅସମ୍ଭବ କାମ ମଧ୍ୟ ସମ୍ଭବ ହୋଇପାରେ। ଜଣେ ଦିବ୍ୟାଙ୍ଗ ଏହାକୁ ପ୍ରମାଣ କରିଦେଇଛନ୍ତି। ଚିପେନହାମ୍‌ର ୩୬ ବର୍ଷୀୟ ଡେଭ୍‌ ୱାଲ୍‌ସ ହୁଇଲ ଚେୟାରରେ ବସି ୧୦ ଟନର ଟ୍ରକ୍‌କୁ ଟାଣି ଗିନିଜ୍‌ ୱାଲର୍‌ଡ ରେକର୍ଡ କରିଛନ୍ତି। ତାଙ୍କ ପୂର୍ବ ରେକର୍ଡଠାରୁ ଏହା ୫ ଗୁଣ ଅଧିକ ଥିଲା। ରିପୋର୍ଟ ମୁତାବକ, ଡେଭ୍‌ଙ୍କୁ ମଲ୍ଟିପଲ ସ୍କେରୋସିସ୍‌ ହୋଇଥିବା ୨୦୧୪ରେ ଜାଣିବାକୁ ପାଇଥିଲେ। ଏହା ଫଳରେ ତାଙ୍କ ଅଣ୍ଟାଠାରୁ ଶରୀରର ତଳ ଭାଗ କାମ କରିବା ବନ୍ଦ କରିଦେଇଥିଲା। ତାଙ୍କୁ ଏଥିପାଇଁ ହୁଇଲ ଚେୟାରର ସାହାରା ନେବାକୁ ପଡ଼ିଲା। ସେ ଆଉ କୌଣସି ଖେଳ ଖେଳି ପାରିଲେନି। ଏସବୁ ପାଇଁ ସେ ଡିପ୍ରେଶନକୁ ଚାଲିଗଲେ। ୨୦୧୭ ବେଳକୁ ସେ ଦିବ୍ୟାଙ୍ଗମାନଙ୍କ ଅନେକ ଖେଳ ଦେଖିବାକୁ ଲାଗିଲେ। ଏହା ପରେ ତାଙ୍କ ମନୋବଳ ଦୃଢ଼ ହେବାକୁ ଲାଗିଲା। ସେ ଆଉ ଅଟକିଲେନି। ତାଙ୍କର ଜଣେ ସାଙ୍ଗଠାରୁ ସେ ଟ୍ରେନିଂ ନେବାକୁ ଲାଗିଲେ। ସେ ଟ୍ରକ୍‌କୁ ଟାଣିପାରିବେନି ବୋଲି ଦିନେ ତାଙ୍କ ସାଙ୍ଗ କହିଲେ। ଡେଭ୍‌ ତାଙ୍କୁ ଭୁଲ୍‌ ପ୍ରମାଣିତ କରିବାକୁ ହୁଇଲ ଚେୟାରରେ ବସି ୧୦ ଟନ୍‌ ଟ୍ରକ୍‌ ଟାଣିଲେ ଏବଂ ଗିନିଜ୍‌ ବୁକ୍‌ରେ ନିଜ ନାମ ଲେଖାଇଲେ। ହେଲେ ସେ ୧୭ ଟନ୍‌ ଟ୍ରକ ଟାଣିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପାଇଁ ଅଧିକ ଟନ୍‌ ବାଲା ଟ୍ରକ ଟାଣିବାକୁ ଦିଆଗଲାନି।

Share