ବ୍ରହ୍ମପୁର ଅଫିସ,୧୩।୬: ସହରରେ ଏବେ ସାଇବର ଠକେଇ ବଢୁଛି। ଅନଲାଇନ, ବ୍ୟାଙ୍କ ଋଣ, ଜମି ବିକ୍ରି, ବିଦେଶୀ ଲିଙ୍କରେ ଚାକରି ନାଁରେ ଗୋଟିଏ ପରେ ଗୋଟିଏ ଠକେଇ ଘଟଣା ସମନାକୁ ଆସୁଛି। ଏପରି ଏକ ଠକେଇର ଶିକାର ହୋଇଛନ୍ତି ଜରଡ଼ା ଥାନା ଅନ୍ତର୍ଗତ ସାପଙ୍ଗ ଗ୍ରାମର ମୂଳ ନିବାସୀ ରୁନୁ ପ୍ରଧାନ। ତାଙ୍କ ଅଜାଣତରେ ବ୍ୟାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୨୫ ହଜାର ଟଙ୍କା ଗାଏବ ହୋଇଯାଇଛି। ସାଇବର ଠକମାନେ ରୁନୁ ଓ ତାଙ୍କ ସ୍ବାମୀ କାଳିଆ କାହ୍ନୁ ପ୍ରଧାନଙ୍କ ନାଁରେ ଥିବା ଜଏଣ୍ଟ ଆକାଉଣ୍ଟରୁ ଟଙ୍କା ଲୁଟ ହୋଇଛି। ଏ ନେଇ ସାଇବର ଏବଂ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଯେ, ରୁନୁଙ୍କ ସ୍ବାମୀ ଏପ୍ରିଲ ଶେଷ ସପ୍ତାହରେ ଅନଲାଇନରେ ୧ ଲକ୍ଷ ୨୫ ହଜାର ଟଙ୍କା ଜମା କରିଥିଲେ। ଏହାର ଦିନକ ପରେ ରୁନୁଙ୍କୁ ଏକ ଫୋନ କଲ ଆସିଥିଲା। ଫୋନ କରିଥିବା ବ୍ୟକ୍ତିଙ୍କୁ ରୁନୁ ବ୍ୟାଙ୍କର କୌଣସି ତଥ୍ୟ ଦେଇ ନ ଥିଲେ। ତଥାପି ସେ ପାତ୍ରପୁର ସ୍ଥିତ ବ୍ୟାଙ୍କ ଶାଖାକୁ ଯାଇ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରବାରୁ ୧ ଲକ୍ଷ ୨୫ ହଜାର ଟଙ୍କା ଗାଏବ ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ଦମ୍ପତି ସାଇବର ଥାନାରେ ଅଭିଯୋଗ କରିଛନ୍ତି। ରୁନୁ ଓ ତାଙ୍କ ଝିଅ ଉମା ପ୍ରଧାନଙ୍କ ନାମରେ ଅନ୍ୟ ଘରୋଇ ବ୍ୟାଙ୍କରେ ମଧ୍ୟ ବେନାମୀ ଆକାଉଣ୍ଟ ଖୋଲାଯାଇ ସେଥିରେ ଟଙ୍କା କାରବାର ହୋଇଥିବା ତଦନ୍ତ ବେଳେ ଜଣାପଡିଛି।