Advertisement

ହ୍ବାଟସ୍‌ ଆପ୍‌ର ଡିପିରେ ଜିଲାପାଳଙ୍କ ଫଟୋ : ମାଗୁଛନ୍ତି ଟଙ୍କା

ବୌଦ୍ଧ,୩୦।୪(ସ୍ବ.ପ୍ର.): ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଫଟୋ ହ୍ବାଟସ୍‌ ଆପ୍‌ ଡିପି ରଖି ବିଭିନ୍ନ ଅଧିକାରୀଙ୍କୁ ମେସେଜ ପଠାଇ ଟଙ୍କା ମାଗିବା ଭଳି ଏକ ସମ୍ବେଦନଶୀଳ ଘଟଣା ଜିଲାରେ ଆଲୋଡନ ସୃଷ୍ଟି କରିଛି।
ମିଳିଥିବା ସୂଚନା ମୁତାବକ, ଜିଲାପାଳଙ୍କ ଫଟୋ ଥାଇ ଏକ ନମ୍ବର (୭୨୨୩୮୭୦୧୯୬)ରୁ ଜିଲାର କେତେଜଣ ଅଧିକାରୀଙ୍କ ନିକଟକୁ ଟଙ୍କା ପଠାଇବାକୁ ମେସେଜ ଯାଇଥିଲା। ଉକ୍ତ ନମ୍ବରଟି ଜିଲାପାଳଙ୍କର ହୋଇ ନ ଥିବା ବେଳେ ତାଙ୍କଠାରୁ ଏଭଳି ମେସେଜ ଆଶା କରି ନ ଥିବା କେତେଜଣ ଅଧିକାରୀ ଏ ନେଇ ଜିଲାପାଳଙ୍କୁ ସୂଚନା ଦେଇଥିଲେ। ଅଧିକାରୀଙ୍କ ନିକଟରୁ ଏହା ଜାଣିବା ପରେ ଜିଲାପାଳ ମିଶ୍ର ବ୍ୟକ୍ତିଗତ ଫେସ୍‌ବୁକ ଓ ସମସ୍ତ ସରକାରୀ ଗ୍ରୃପରେ ସରକାରୀ ଅଧିକାରୀମାନଙ୍କୁ ମିଥ୍ୟା ମେସେଜ ନେଇ ସତର୍କ ରହିବାକୁ ଜଣାଇଥିଲେ। ଏ ନେଇ ସାଇବର ସେଲ ଜରିଆରେ ତଦନ୍ତ କରାଯାଇ ତାଙ୍କ ଫଟୋକୁ ବ୍ୟବହାର କରି ମେସେଜ ପଠାଇଥିବା ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ମିଶ୍ର ପ୍ରକାଶ କରିଛନ୍ତି। ଜିଲାରେ ବାରମ୍ବାର ସାଇବର ଅପରାଧ ବୃଦ୍ଧି ପାଇ ଚାଲିଥିବା ବେଳେ ଜିଲା ପୋଲିସ ନିକଟରେ କୌଣସି ସୁବିଧା ନ ଥିବାରୁ ଅପରାଧୀମାନେ ତାହାର ଫାଇଦା ଉଠାଉଛନ୍ତି । ଜିଲାରେ ତୁରନ୍ତ ଏକ ସାଇବର ଥାନା ସ୍ଥାପନ ପାଇଁ ସାଧାରଣରେ ଦାବି ହେଉଛି।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share