ସୁଶାନ୍ତ ସିଂ ରାଜପୁତଙ୍କ ନାଁରେ କେଦାରନାଥରେ ହେବ ଫଟୋଗ୍ରାଫି ପଏଣ୍ଟ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଜି ଆମ ଗହଣରେ ନାହାନ୍ତି ସତ । ହେଲେ ସେ ଏମିତି କିଛି ଅଭିନୟର ଛାପ ଛାଡି ଯାଇଛନ୍ତି ଯାହା ଦର୍ଶକଙ୍କ ହୃଦୟରେ ବସାବନ୍ଧି ରିହିଛି ଆଉ ରହିଥିବ । ୧୪ ଜୁନ ୨୦୨୦ରେ ଅଭିନେତାଙ୍କ ମୃତଦେହ ତାଙ୍କ ଘରୁ ମିଳିଥିବା ବେଳେ ଏହା ଏକ ଆତ୍ମହତ୍ୟା ବୋଲି ପୋଲିସ କହିଥିଲା । ଏମିତିକି ଦୀର୍ଘ ୨ ବର୍ଷ ପରେ ବି ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟି ପାରି ନାହିଁ । ଇତିମଧ୍ୟରେ ଉତ୍ତରାଖଣ୍ଡ ସରକାର ସୁଶାନ୍ତଙ୍କ ସ୍ମୃତିରେ ଏକ ବିଶେଷ ଘୋଷଣା କରିଛନ୍ତି । ଉତ୍ତରାଖଣ୍ଡର କେଦାରନାଥରେ ସୁଶାନ୍ତ ସିଂ ରାଜପୁତଙ୍କ ନାମରେ ଏକ ଫଟୋଗ୍ରାଫି ପଏଣ୍ଟ କରାଯିବ ।
ବଲିଉଡ ମୁଭି ‘କେଦାରନାଥ‘ରେ ତାଙ୍କର ନିଖୁଣ ଅଭିନୟକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି । ମିଳିଥିବା ସୂଚନା ଅନୁସାରେ ଏହି ଫଟୋଗ୍ରାଫି ପଏଣ୍ଟରେ ତୀର୍ଥଯାତ୍ରୀ, ଅଭିନେତାଙ୍କ ପ୍ରଶଂସକ ଫଟୋ ଉଠାଇ ପାରିବେ । ଉତ୍ତରାଖଣ୍ଡର ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜ ଏହି ସୂଚନା ଦେଇ କହିଛନ୍ତି, ଆମେ ଚାହୁଁଛୁ କେଦାରନାଥରେ ସୁଶାନ୍ତ ସିଂ ରାଜପୁତଙ୍କ ନାଁରେ ଫଟୋଗ୍ରାଫି ପଏଣ୍ଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛୁ । ସୂଚନାଯୋଗ୍ୟ, ଫିଲ୍ମ କେଦାରନାଥରେ ସୁଶାନ୍ତ ସିଂ ରାଜପୁତ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ । ଆଉ ଏହି ଫିଲ୍ମରେ ସାରା ଅଲି ଖାଁ ତାଙ୍କ ବଲିଉଡ ଡେବ୍ୟୁ କରିଥିଲେ । ୨୦୧୩ରେ ଉତ୍ତରାଖଣ୍ଡରେ ଆସିଥିବା ବିପଦ ଉପରେ ଫିଲ୍ମ ପର୍ଯ୍ୟବେଶିତ ।

Share