ମୁଖ୍ୟମନ୍ତ୍ରୀ, ବିଧାୟକଙ୍କ ଫଟୋ ଛାପିବା ମହଙ୍ଗା ପଡ଼ିଲା

କଣ୍ଟାପଡା,୪ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୱାର୍ଡସଭ୍ୟ, ସମିତିସଭ୍ୟ ଓ ସରପଞ୍ଚ ପ୍ରାର୍ଥୀମାନେ ଦଳୀୟ ଚିହ୍ନ ସହିତ ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କ ଫଟୋ ବ୍ୟବହାର ନ କରିବା ପାଇଁ ସରକାରୀ ନିୟମ ରହିଛି। ହେଲେ କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ବଡ ପାଟସୁନ୍ଦରପୁର ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଉକ୍ତ ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ମାନସୀ ମଲ୍ଲିକ ଓ ସମିତି ସଭ୍ୟ ପଦବୀ ଲାଗି ମନୋଜ କୁମାର ବେହେରା ନିର୍ବାଚନ ଲଢୁଛନ୍ତି। ସେମାନେ ନିଜ ହୋର୍ଡିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନିଆଳି ବିଧାୟକ ଡା. ପ୍ରମୋଦ ମଲ୍ଲିକଙ୍କ ଫଟୋ ଛାପି ପ୍ରଚାର କରୁଥିବା ବ୍ଲକ ନିର୍ବାଚନ ଅଧିକାରୀ ସନ୍ତାଷ କୁମାର ପତିଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏ ନେଇ ପତି ମାଜିଷ୍ଟ୍ରେଟ ମିତାଞ୍ଜଳି ଦାଶଙ୍କୁ ଜଣାଇଥିଲେ। ଗୁରୁବାର ପ୍ରଶାସନର ନିର୍ଦ୍ଦେଶକ୍ରମେ ବ୍ରାହ୍ମଣସାଇଲୋ ରାଜସ୍ବ ନିରୀକ୍ଷକ ମାନସ ନାୟକଙ୍କ ଉପସ୍ଥିତିରେ ଉକ୍ତ ହୋର୍ଡିଂରେ ରଙ୍ଗ ଲଗାଇ ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କ ଫଟୋକୁ ଲିଭାଯାଇଥିଲା। ଅନ୍ୟସ୍ଥାନରେ ଲଗାଯାଇଥିବା ହୋର୍ଡିଂରୁ ତୁରନ୍ତ ଫଟୋ ହଟାଇବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଏ ସମ୍ପର୍କରେ ବ୍ଲକ ନିର୍ବାଚନ ଅଧିକାରୀ ପତି କହିଛନ୍ତି, ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ ଦଳୀୟ ଚିହ୍ନ ନ ଥିବାରୁ ନେତାଙ୍କ ଫଟୋ ଲଗାଯିବା ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରୁଛି। ତେଣୁ ଅଭିଯୋଗ ହେବାପରେ ଏଭଳି ପଦକ୍ଷେପ ନିଆଯାଇଛି।

Share