Categories: ଖେଳ

ଫୁଲ ସୋରେନ ଉପଅଧିନାୟିକା

ଭୁବନେଶ୍ୱର,୪।୮ (ତପନ ସ୍ବାଇଁ):ଇଣ୍ଟରନ୍ୟାଶନାଲ ବ୍ଲାଇଣ୍ଡ ସ୍ପୋଟର୍‌ସ ଫେଡେରେଶନ (ଆଇବିଏସ୍‌ଏ) ପକ୍ଷରୁ ଓ୍ବାଲର୍‌ଡ ଗେମ୍ସ ବର୍ମିଂହାମଠାରେ ଚଳିତ ମାସ ୧୮ରୁ ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ପ୍ରଥମଥରପାଇଁ ଦୃଷ୍ଟିବାଧିତ କ୍ରିକେଟ (ମହିଳା ଓ ପୁରୁଷ)କୁ ସାମିଲ କରାଯାଇଛି। ଏହି ପ୍ରତିଯୋଗିତାରେ ଭାରତର ମହିଳା ଓ ପୁରୁଷ ଦୃଷ୍ଟି ବାଧିତ କ୍ରିକେଟ ଦଳ ଅଂଶଗ୍ରହଣ କରିବ। ଗୁରୁବାର ଏଥିପାଇଁ ଉଭୟ ଦଳ ତାଲିକା ଘୋଷଣା କରାଯାଇଛି। ଓଡ଼ିଶାର ଫୁଲ ସୋରେନ ପ୍ରଥମଥରପାଇଁ ମହିଳା ଦଳର ଉପ-ଅଧିନାୟିକା ମନୋନୀତ ହୋଇଛନ୍ତି। କର୍ନାଟକର ବର୍ଷା ୟୁ.ଙ୍କୁ ଅଧିନାୟିକା କରାଯାଇଛି। ସେହିପରି ଆନ୍ଧ୍ର ପ୍ରଦେଶର ଅଜୟ କୁମାର ରେଡ୍ଡୀ ପୁରୁଷ ଦଳର ଅଧିନାୟକ ଓ ଭେଙ୍କଟେଶ୍ୱର ରାଓ ଉପ-ଅଧିନାୟକ ମନୋନୀତ ହୋଇଛନ୍ତି। ଭାରତୀୟ ପୁରୁଷ ଦଳ ପାକିସ୍ତାନ ଏବଂ ମହିଳା ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଖେଳି ଅଭିଯାନ ଆରମ୍ଭ କରିବେ। ଭାରତୀୟ ମହିଳା ଦଳରେ ଫୁଲଙ୍କ ବ୍ୟତୀତ ପଦ୍ମିନୀ ଟୁଡୁ, ବାସନ୍ତି ହାଂସଦା ଓ ଝିଲି ବିରୁଆ ସ୍ଥାନ ପାଇଛନ୍ତି। ସେହିପରି ପୁରୁଷ ଦଳରେ ମହମ୍ମଦ ଜାଫର ଇକବାଲ, ପଙ୍କଜ ଭୁଏ ଓ ନକୁଳ ବଡ଼ନାୟକ ସାମିଲ ହୋଇଛନ୍ତି।

Share